ଯୁବକଙ୍କ ଉପରେ ମାଡ଼ିଗଲା କାର୍‌, ମୃତକଙ୍କ ପରିଚୟ ମିଳୁନି

କାର୍‌ ଜବତ, ଚାଳକ ଗିରଫ

ଭୁବନେଶ୍ବର: ଜନତା କର୍ଫ୍ୟୁ ପାଇଁ ଆଜି ରାଜଧାନୀ ରାଜରାସ୍ତା ଜନଶୂନ୍ୟ ଥିବା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟ ରିଲାଏନ୍ସ ମଲ୍‌ ନିକଟରେ ଏକ ଅଘଟଣ ଘଟିଛି। ସକାଳେ ମଲ୍‌ ନିକଟରେ ଏକ ଦ୍ରୁତଗାମୀ କାର୍‌ ମାଡ଼ି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ବୟସ ୨୦ରୁ ୨୫ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଯୁବକଙ୍କ ପରିଚୟ ପାଇବା ପାଇଁ ତାଙ୍କ ଫଟୋକୁ ବିଭିନ୍ନ ଥାନାକୁ ଜାରି କରିଛି ଜିଆରପି ପୁଲିସ। ଏନେଇ ଜିଆରପି ଥାନାରେ ନଂ-୫୭/୨୦ରେ ଏକ ମାମଲା ରୁଜୁ ହୋଇଛି। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା କାର୍(ଓଡି୦୫ଡବ୍ଲୁ-୦୬୫୪)କୁ ଜବତ କରିବା ସହ ଚାଳକ କଟକର ବିବେକ ବାଗଡ଼ିଆଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସ୍‌ ସୂଚନା ଅନୁସାରେ, ବିବେକ ଏକ ପାର୍ସଲ ପାଇଁ ସକାଳୁ ଭୁବନେଶ୍ବର ଷ୍ଟେସନ୍‌କୁ ଆସିଥିଲେ। ଜନତା କର୍ଫ୍ୟୁ ଥିବାରୁ ପୁଲିସ ହାତରେ ଧରାପଡ଼ିବାରୁ ବର୍ତ୍ତିବା ପାଇଁ ସେ ଦ୍ରୁତ ଗତିରେ ଗାଡ଼ି ଚଲାଇଥିଲେ। ତେବେ ରିଲାଏନ୍ସ ମଲ୍ ନିକଟରେ ସେ ଜଣେ ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଯୁବକଙ୍କ ମୁହଁ, ମୁଣ୍ଡ, ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ଜିଆରପି ଥାନା ପୁଲିସ ଯୁବକଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବକୁ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷିତ ଗୃହରେ ରଖାଯାଇଛି। ଆଇନ ଅନୁସାରେ ୭୨ଘଣ୍ଟା ପର୍ଯ୍ୟନ୍ତ ଏହି ମୃତଦେହକୁ ରଖାଯିବ। ଯଦି କେହି ଦାବିଦାର ନ ମିଳନ୍ତି, ତା’ ହେଲେ ପୁଲିସ ନିଜେ ସଂସ୍କାର କରିବ। ପରିଚୟ ପାଇବା ଲାଗି ମୃତ ଯୁବକଙ୍କ ଫଟୋକୁ ପୁଲିସ ୱେବସାଇଟ୍‌‌‌ରେ ମଧ୍ୟ ଅପଲୋଡ୍‌ କରାଯିବ।

ସମ୍ବନ୍ଧିତ ଖବର