ଭୁବନେଶ୍ବର/ପୁରୁଣା ଭୁବନେଶ୍ବର: ଦୂରରୁ ଲୁହା ବଲ୍‌ ମାରି କାର୍‌ କାଚ ଭାଙ୍ଗି ଦେଉଛନ୍ତି। ପରେ କାର୍‌ ଭିତରେ ଥିବା ସର୍ବସ୍ବ ଲୁଟୁଛନ୍ତି। ରାଜଧାନୀରେ ସକ୍ରିୟ ଥିବା ତାମିଲ୍‌ କାର୍‌ କାଚଭଙ୍ଗା ଗ୍ୟାଙ୍ଗକୁ ଠାବ ପରେ ଏଭଳି ତଥ୍ୟ ପଦାକୁ ଆସିଛି। ଗ୍ୟାଙ୍ଗର ୪ଜଣଙ୍କୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ତାମିଲ୍‌ନାଡ଼ୁ ତିରୁଚିରାପଲ୍ଲୀ ଏ କାଥୁର ଅଞ୍ଚଳର ଏସ୍‌ କାଥିରଭାନ୍‌(୩୪), ସୋଲନଗର ୱାର୍ନାକୋଭିଲ୍‌ ଥାନା ରାମଜିନଗର ମିଲ୍‌ କଲୋନିର କେ ଦିନେଶ କୁମାର(୫୫), ମାଲତିପଟି ଭାସ୍କର କଲୋନିର କେ ଦିଲ୍ଲୀରଞ୍ଜନ(୪୯) ଓ ମଦୁରାଇ ଜିଲ୍ଲା ଭାଡ଼ିପଟି ଥାନା ଏରୋମାଟି ଚିନାମପଟିର ଏସ୍‌ କୁମାର ଓରଫ୍‌ ପାନ୍ନି(୪୩)। ପୁଲିସ ସେମାନଙ୍କ ନିକଟରୁ ୧୯,୨୦୦ ଟଙ୍କା, ୩୫ଟି ଲୁହା ବଲ୍‌, ଆଇପ୍ୟାଡ୍‌ ଆଦି ଜବତ କରିଛି। ତେବେ ଏହି ଗ୍ୟାଙ୍ଗ କେବେଠୁ ସକ୍ରିୟ ଥିଲେ? କେମିତି ଲୁଟୁଥିଲେ? କିଭଳି ଧରାପଡ଼ିଲେ? ସେ ବାବଦରେ ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନ‌ୀରେ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଗ୍ୟାଙ୍ଗର ଗୁମର ଖୋଲିଛନ୍ତି।
ସୂଚନା ମୁତାବକ, ବହୁଦିନ ହେବ ‌ଏହି ଗ୍ୟାଙ୍ଗ କଟକ, ପୁରୀ, ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ କରି ପୁଲିସ ନିଦ ହଜାଇଥିଲା। ତେବେ ଗତ ଜୁଲାଇ ୮ତାରିଖ ଦିନ୧୨ଟାରେ ଜଗଦମ୍ବା କନଷ୍ଟ୍ରକ୍ସନ୍‌ କମ୍ପାନିର ସୁପରଭାଇଜର କିଶୋର କୁମାର ଝା ତାଙ୍କ ସ୍କର୍ପିଓରେ ରବି ଟକିଜ୍‌ ଲୁଇସ୍‌ ରୋଡ୍‌ ନିକଟ ସାଇ ପ୍ଲାଏଉଡ୍‌ ଆସିଥିଲେ। ନିକଟରେ ଗାଡ଼ିକୁ ପାର୍କିଂ କରି ଜିନିଷ କିଣାକିଣି ପାଇଁ ଯାଇଥିଲେ। ଭୁଲ୍‌ବଶତଃ ଗାଡ଼ି ଡୋର୍‌ ଲକ୍‌ କରିବାକୁ ଭୁଲିଯାଇଥିଲେ। ‌ହେଲେ ପୂର୍ବରୁ ଛକି ରହିଥିବା ଏହି ଗ୍ୟାଙ୍ଗ ଏହାର ସୁଯୋଗ ନେଇ ଗାଡ଼ିରୁ ୪୪ ହଜାର ନଗଦ ଟଙ୍କା, ଏଟିଏମ୍‌ କାର୍ଡ, ଚେକ୍‌ ବୁକ୍‌, ପାନ‌୍ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, କମ୍ପାନିର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବିଲ୍ ଚୋରି କରି ନେଇଥିଲେ। ଗାଡ଼ି ପାଖକୁ ଆସିବା ବେଳକୁ ଭିତରୁ ଜିନିଷ ଚୋରି ହୋଇଥିବା ଦେଖି ତୁରନ୍ତ ଲିଙ୍ଗରାଜ ଥାନାକୁ ଜଣାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଲିସ ୪ ଲୁଟେରାଙ୍କୁ ଚିହ୍ନଟ କରିଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ସେମାନଙ୍କ ଗତିବିଧି ଠାବ କରିଥିଲା। ରବି ଟକିଜ୍ ନିକଟରେ ଆଉ ଏକ ଲୁଟ୍‌ କରିବା ପୂର୍ବରୁ ପୁଲିସ ସେମାନଙ୍କୁ କାବୁ କରିବା‌ରେ ସକ୍ଷମ ହୋଇଥିଲା। ଥାନାକୁ ନେଇ ଜେରା ବେଳେ ସେମାନେ କେବଳ ଏହି ଚୋରି ନୁହେଁ; ପୂର୍ବରୁ ମଧ୍ୟ ଏକାଧିକ ଚୋରି କରିଥିବା ସ୍ବୀକାର କରିଥିଲେ। ବିଶେଷ କରି ଲୁହା ବଲ୍‌ ‌ଫୋପାଡ଼ି କାର୍‌ କାଚ ଭାଙ୍ଗି ଲୁଟୁଥିବା ମାନିଥିଲେ। ଜେରା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ପୂର୍ବରୁ ଏହି ଗ୍ୟାଙ୍ଗ ସଦସ୍ୟଙ୍କ ନାମରେ ସହିଦନଗର ଥାନାରେ ଦୁଇଟି ଓ କ୍ୟାପିଟାଲ ଥାନାରେ ଗୋଟିଏ ମାମଲା ରହିଛି।