ଅନ୍ତଃରାଜ୍ୟ କାର୍‌ ଚୋରି ର‍୍ୟାକେଟ୍‌: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ଲମ୍ବିଛି ଚେର

ଭୁବନେଶ୍ୱର : ଅନ୍ତଃରାଜ୍ୟ କାର୍‌ ଚୋରି ରୢାକେଟ୍‌ର ଭୁବନେଶ୍ୱର ଏଜେଣ୍ଟ ଚିନ୍ମୟ ସାହୁକୁ ୫ ଦିନିଆ ରିମାଣ୍ଡରେ ଆଣି ଲକ୍ଷ୍ମୀସାଗର ଥାନା ପୁଲିସ ଜେରା କରୁଛି। ତେବେ ଦୁଇଦିନ ଧରି ହୋଇଥିବା ଜେରାରେ ପୁଲିସ ତା’ଠାରୁ ଅନେକ ତଥ୍ୟ ସଂଗ୍ରହ କରିଛି। ପୁଲିସ ତା’ଠାରୁ ଆହୁରି ୩୦ଟି ଚୋରା ଗାଡ଼ି ସଂପର୍କରେ ସୁରାକ୍‌ ପାଇବା ସହ ଏମାନଙ୍କୁ ସହଯୋଗ କରୁଥିବା ଓଡ଼ିଶାର ଅନ୍ୟ ଜଣଙ୍କୁ ମଧ୍ୟ ଠାବ କରିଛି। ସେହିପରି କେବଳ ପଶ୍ଚିମବଙ୍ଗ ନୁହେଁ, ଝାଡ଼ଖଣ୍ଡରେ ମଧ୍ୟ ଏହି ଗାଡ଼ି ଚୋରି ରୢାକେଟ୍‌ ସକ୍ରିୟ ଥିବା ଜଣାଯାଇଛି। ସେଠା‌ରୁ ଏମାନଙ୍କ ଏଜେଣ୍ଟ ଚୋରା ଗାଡ଼ି ପଠାଉଥିବା ବେଳେ ଏଠାରୁ ଚୋରା ଗାଡ଼ି ନେଇ ବିକ୍ରି କରୁଥିବା ପୁଲିସ୍‌ ଜାଣିବାକୁ ପାଇଛି। ତେବେ ଏହି ରୢାକେଟ୍‌ର ଚେର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଖୁବ୍‌ଶୀଘ୍ର ଏହି ଟିମ୍‌ ପଶ୍ଚିମବଙ୍ଗ ଯିବ। ଆବଶ୍ୟକ ପଡ଼ିଲେ ସେଠାରୁ ଅନ୍ୟ ରାଜ୍ୟକୁ ଯାଇପାରେ। ଅପରପକ୍ଷେ ଚୋରା ଗାଡ଼ିଗୁଡ଼ିକର ଇଞ୍ଜିନ୍‌ ଓ ଚେସିସ୍‌ ନମ୍ବର ନଷ୍ଟ କରି ଦିଆଯାଇଥିବାରୁ ଗାଡ଼ି କାହାର ଜଣାପଡ଼ୁ ନାହିଁ। ତାହା ଜାଣିବା ପାଇଁ ଏକ୍ସପର୍ଟ ଓ ଇଞ୍ଜିନିୟରଙ୍କ ସହ ଯୋଗାଯୋଗ କରାଯାଇଛି। ସେମାନେ ଏହି ଚୋରା ଗାଡ଼ିଗୁ‌ଡ଼ିକର ଇଞ୍ଜିନ୍‌ ଓ ଚେସିସ୍‌ ନମ୍ବର ଚିହ୍ନଟ କରିବେ।

ଗତ ୩୧ ତାରିଖ ଦିନ ସ୍ପେସାଲ ସ୍କ୍ବାଡ୍‌ ଅନୁଗୁଳ ଛେଣ୍ଡିପଦା ଥାନା ଖମାରର ଚିନ୍ମୟ ସାହୁ ଓ ଝାରପଡ଼ା କେନାଲ ରୋଡ୍‌ ହନୁମାନ ମନ୍ଦିର ନିକଟରେ ରହୁଥିବା ଗୋପାଳ ମହାନ୍ତିଙ୍କୁ ଗିରଫ କରିବା ପରେ ଏହି ରୢାକେଟ୍‌ ସଂପର୍କରେ ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କଠାରୁ ୮ଟି ଦାମୀ ଗାଡ଼ି ଜବତ କରାଯାଇଥିଲା। ଏହି ରୢାକେଟ୍‌ର ମାଷ୍ଟରମାଇଣ୍ଡ ‘ପାପା’ ବୋଲି ପୁଲିସ ଜାଣିବାକୁ ପାଇଛି। ତାକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।

ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ଏସ୍‌ଆଇ ସଞ୍ଜୟ କୁମାର ଷଣ୍ଢ ଚିନ୍ମୟଠାରୁ ଏକ ଇନୋଭା କ୍ରିଷ୍ଟାଲ (ଏଏସ୍‌୦୧ବିଜେଡ୍‌-୪୯୯୪) କିଣିବା ପାଇଁ ଛିଣ୍ଡିଥିବା ଦର ୧୪ ଲକ୍ଷରୁ ୮ଲକ୍ଷ ଟଙ୍କା ଚିନ୍ମୟକୁ ଅଗ୍ରିମ ଦେଇଥିଲେ। କିନ୍ତୁ ପରେ ସେ ଏନ୍‌ଓସି କିମ୍ବା ଅନ୍ୟ କୌଣସି କାଗଜପତ୍ର ନ ଦେବାରୁ ସନ୍ଦେହ ହୋଇଥିଲା।

ଏମିତି ହେଉଥିଲା ନମ୍ବର ପରିବର୍ତ୍ତନ
ରାଜ୍ୟର ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରି ହୋଇ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସୁଥିଲା। ସେଠା‌ରେ ପ୍ରଥମେ ରେଜିଷ୍ଟ୍ରେସନ ନମ୍ବର ପରିବର୍ତ୍ତନ ହେଉଥିଲା‌। ଗାଡ଼ିର ମଡେଲ୍‌ ଅନୁସାରେ ବଜାରର ଆଉ ଏକ ଗାଡ଼ି ଚିହ୍ନଟ କରାଯାଇ ସେହି ନମ୍ବରର ପ୍ଲେଟ୍‌ ତିଆରି କରାଯାଇ ଲଗାଯାଉଥିଲା। ଅନ୍‌-ଲାଇନ୍‌ରେ ଯାଞ୍ଚ କଲେ ଗାଡ଼ିର ମଡେଲ ମିଶି ଯାଉଥିଲା। ଏହାକୁ ନୂଆ ଡିଜାଇନ୍‌ ଅର୍ଥାତ୍‌ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍‌(ଏଚ୍‌ଏସ୍‌ଆରପି) ଡିଜାଇନ୍‌ରେ ଲଗା ଯାଉଥିଲା। ଫଳରେ କିଣିବା ଲୋକ ଜାଣିପାରୁନଥିଲେ। ସେହିଭଳି ଗାଡ଼ିର ଇଞ୍ଜିନ୍‌ ନମ୍ବର ଓ ଚେସିସ୍‌ ନମ୍ବରର ଶେଷ ଆଡ଼ୁ ୨ କିମ୍ବା ୩ଟି ନମ୍ବର ଲିଭାଇ ଦିଆଯାଉଥିଲା। ନମ୍ବରକୁ ଲିଭାଇ ଗାଡ଼ିର ବଡି ସହ ମିଶାଇ ଦିଆଯାଉଥିଲା। ଯେଉଁ ନମ୍ବର ପ୍ଲେଟ୍‌ ଚୋରା ଗାଡ଼ିରେ ଲାଗୁଥିଲା ସେହି ନମ୍ବରର ଗାଡ଼ି ମାଲିକଙ୍କ ନାମ ଅନ୍‌ଲାଇନ୍‌ରେ ଖୋଜା ଯାଉଥିଲା। ତାଙ୍କ ନାମରେ ନକଲି କାଗଜପତ୍ର ତିଆରି ହେଉଥିଲା। ଅର୍ଥାତ୍‌ ସମ୍ପୃକ୍ତ ମାଲିକ ତା’ ଗାଡ଼ିକୁ ବିକ୍ରି କରୁଥିବା ଭଳି ପ୍ରତୀୟମାନ ହେଉଥିଲା। ବର୍ଷ ବର୍ଷ ଧରି ବିନା ଦ୍ବିଧାରେ ସେମାନେ ବେପାର ଜାରି ରଖିଥିଲେ।

ସମ୍ବନ୍ଧିତ ଖବର