କାର୍‌ ଉପରେ ଓଲଟି ପଡ଼ିଲା ଚିପ୍‌ସ ବୋଝେଇ ଟ୍ରକ୍‌, ୩ ଆହତ

ଖଣ୍ଡଗିରି: ଆଜି ରାତି ପ୍ରାୟ ୧୧ଟା ୪୫ ମିନିଟ୍‌ ସମୟରେ ତମାଣ୍ଡୋ ଥାନା ଅନ୍ତାର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାତ୍ରପଡ଼ା ଶନି ମନ୍ଦିର ସମ୍ମୁଖରେ ଚିପ୍‌ସ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌ ଉପରେ ଓଲଟି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ପରିଚୟ ଜଣାପଡ଼ି ନାହିଁ। ସେମାନେ ଭୁବନେଶ୍ୱରରୁ ଖୋର୍ଧା ଅଡ଼େ ଯାଉଥିଲେ। ସୂଚନା ଅନୁଯାୟୀ ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବା ଚିପ୍‌ସ ବୋଝେଇ ଟ୍ରକ୍‌ଟି ହଠାତ୍‌ ଭାରସାମ୍ୟ ହରାଇ ଡିଭାଇଡର୍‌ ଡେଇଁ ରାସ୍ତା ଅପର ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ସେହି ସମୟରେ ଏକ କାର୍‌(ଓଆର୍‌-୦୨ଏଇ-୦୬୩୬) ଭୁବନେଶ୍ୱରରୁ ଖୋର୍ଧା ଦିଗରେ ଯାଉଥିଲା। ଫଳରେ ଉକ୍ତ ଟ୍ରକ୍‌ ଓ ଚିପ୍‌ସ କାର୍‌ ଉପରେ ଗଦା ହୋଇ ପଡ଼ିଥିଲା। ଏଥିରେ କାର୍‌ ଚାଳକଙ୍କ ସମେତ ଆଉ ୨ ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ଯାନବାହାନ ଚଳାଚଳ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲ୍‌ ପଠାଇବା ସହିତ ଟ୍ରାଫିକ୍‌ ନିୟନ୍ତ୍ରଣ କରିିଥିଲା।

ସମ୍ବନ୍ଧିତ ଖବର