ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ୍ ରିହର୍ସାଲ୍: ମୁତୟନ ହେବେ ୧୫ ପ୍ଲାଟୁନ୍ ଫୋର୍ସ, ୭୦ ଅଫିସର୍‌

ଭୁବନେଶ୍ବର: ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଅପରାହ୍‌ଣ ସାଢେ଼ ୪ଟାରେ କାରକେଡ୍ ରିହର୍ସାଲ କରାଯାଇଥିଲା। ବିମାନବନ୍ଦରଠାରୁ ରାଜଭବନ, ରାଜଭବନରୁ ବାଣୀବିହାର, ବାଣୀବିହାରଠାରୁ ରାଜଭବନ ଓ ରାଜଭବନରୁ ବିମାନବନ୍ଦର ପର୍ଯ୍ୟନ୍ତ ଏହି ରିହର୍ସାଲ କରାଯାଇଥିଲା। ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର୍‌ ରେଖା ଲୋହାନୀ, ଡିସିପି ଉମାଶଙ୍କର ଦାଶ ରିହର୍ସାଲକୁ ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ବିମାନବନ୍ଦରଠାରୁ ଆରମ୍ଭ କରି ରାଜଭବନ ଓ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ପାଇଁ ୧୫ପ୍ଲାଟୁନ୍ ଫୋର୍ସ, ୭୦ ଅଧିକାରୀ ଓ ୫୫ଜଣ ଟ୍ରାଫିକ୍‌ କର୍ମଚାରୀ ନିୟୋଜିତ ରହିବେ। ଅତିରିକ୍ତ ଡିସିପି ପାହ୍ୟାର ୫ଜଣ, ଏସିପି ପାହ୍ୟାର ୮, ଇନ୍ସପେକ୍ଟର ପାହ୍ୟାର ୧୮, ଏସ୍ଆଇ ଓ ଏଏସ୍ଆଇ, ଟ୍ରାଫିକର ୧୧ଜଣଙ୍କୁ ମିଶାଇ ୭୦ଜଣ ଅଫିସର୍‌ ନିୟୋଜିତ ରହିବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡାଙ୍କ ତତ୍ତ୍ବାବଧାନରେ ଟ୍ରାଫିକ୍‌ ପରିଚାଳନା ହେବ।

ସମ୍ବନ୍ଧିତ ଖବର