କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ସମବାୟ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ବର : ଦୀର୍ଘ ଦିନର ଦାବି ସତ୍ତ୍ବେ କାର୍ଡବ୍ୟାଙ୍କ କର୍ମଚାରୀଙ୍କ ସମସ୍ୟା ସମାଧାନର ବାଟ ଫିଟୁନି। ବାରମ୍ବାର ମନ୍ତ୍ରୀ, ସଚିବ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ହେଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ସମୂହ ସ୍ବେଚ୍ଛାକୃତ ଅବସର ଦେବାକୁ କାର୍ଡ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ପୁନର୍ବାର ଦାବି ଜଣାଇଛନ୍ତି। ଏନେଇ ଗତ ୧୭ ତାରିଖରେ କାର୍ଡବ୍ୟାଙ୍କ କାର୍ଯ୍ୟକାରୀ କମିଟି ପକ୍ଷରୁ ଏକ ସ୍ମାରକପତ୍ର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପ୍ରଦାନ କରାଯାଇଛି। କର୍ମଚାରୀଙ୍କ ସମସ୍ୟା ଆସନ୍ତା ଜୁଲାଇ ସୁଦ୍ଧା ତ୍ବରାନ୍ବିତ କରାଯିବାକୁ ଏଥିରେ ଦାବି କରାଯାଇଛି।

କାର୍ଡବ୍ୟାଙ୍କ କାର୍ଯ୍ୟକାରୀ କମିଟି ବୈଠକ ଗତ ୧୭ ତାରିଖରେ ସ୍ଥାନୀୟ ନୟାପଲ୍ଲୀ ଦୁର୍ଗାମଣ୍ଡପରେ ସଭାପତି ରତନ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବ ଦାବିକୁ ଉତ୍‌ଥାପନ କରାଯାଇଥିଲା। ବୈଠକରେ କୁହାଯାଇଛି ଯେ ୨୦୦୩ ମସିହାରୁ ନାବାର୍ଡ କାର୍ଡବ୍ୟାଙ୍କକୁ ଆର୍ଥିକ ସହାୟତା ବନ୍ଦ କରିଦେଇଛି। ଓସ୍‌କାର୍ଡ ମଧ୍ୟ ସହଯୋଗ କରୁନାହିଁ। ଫଳରେ ଏବେ ବ୍ୟାଙ୍କ ଅଚଳ ହୋଇପଡ଼ିଛି। ଗତ ୭/୮ ବର୍ଷ ହେଲା କର୍ମଚାରୀମାନେ ଦରମା ନପାଇ ଦୁର୍ଦିନରେ କାଳାତିପାତ କରୁଛନ୍ତି। ଏନେଇ ୨୦୧୪ ନଭେମ୍ବର ଓ ଡିସେମ୍ବର ମାସରେ ଦୁଇ ପର୍ଯ୍ୟାୟରେ ଲୋୟର ପିଏମଜିରେ ୫୫ଦିନ ଧାରଣା ଦିଆଯାଇଥିଲା। ପରେ ୨୦୧୫ ମାର୍ଚ୍ଚରେ ତତ୍‌କାଳୀନ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ କାର୍ଡବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଗତ ଏପ୍ରିଲ ୩ରେ ଏକ ବୈଠକ ବସି ମୁଖ୍ୟ ଶାସନ ସଚିବ, ସମବାୟ ବିଭାଗ କମିସନର ଓ ରେଜିଷ୍ଟ୍ରାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଅଦ୍ୟବଧି ଏ ଦିଗରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେଣୁ ତୁରନ୍ତ କାର୍ଡବ୍ୟାଙ୍କ କର୍ମଚାରୀଙ୍କୁ ସମୂହ ସ୍ବେଚ୍ଛାକୃତ ଅବସର ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ବୈଠକରେ କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ ସମ୍ପାଦକ ସଞ୍ଜୟ କୁମାର ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର