ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ର ହୃଦ‌୍‌ରୋଗ ବିଭାଗରେ ଡାକ୍ତରଙ୍କ ପରାମର୍ଶ ପାଇଁ ରାତିରୁ ଲୋକେ ଲାଇନ ଦେଉଛନ୍ତି। ଦୈନିକ ସୀମିତ ସଂଖ୍ୟକ ରୋଗୀଙ୍କୁ ଡାକ୍ତର ଦେଖୁଥିବାରୁ ରୋଗୀ ହୁଅନ୍ତୁ ଅବା ତାଙ୍କ ସମ୍ପର୍କୀୟ ପାହାନ୍ତାରୁ ହୃଦରୋଗ ବିଭାଗ ବାହାରେ ହେଲମେଟ୍, ଇଟା, ପଥର, ଚପଲ ଆଦି ରଖି ନିଜ ନମ୍ବର ସୁରକ୍ଷିତ ରଖୁଛନ୍ତି।ଡାକ୍ତରଙ୍କୁ ଦେଖାଇବାକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ରାମ ଦଳେଇ ଆଜି ନୟାଗଡ଼ରୁ ନିଜ ମାଆଙ୍କୁ ହୃଦ୍‌ରୋଗ ବିଭାଗରେ ଦେଖାଇବାକୁ ଆସିଥିଲେ। ସେ ୧୦ଟା ସମୟରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚି ଟିକେଟ କରିଥିଲେ। କିନ୍ତୁ ତାଙ୍କ ନମ୍ବର ଆସିବା ବେଳକୁ ଅପରାହ୍ନ ୪ଟା ହୋଇଯାଇଥିଲା‌। ପ୍ରବଳ ଖରାରେ ଜଣେ ହୃଦ୍‌ରୋଗୀ ଏତେ ସମୟ ଅପେକ୍ଷା କରିବାକୁ ଲୋକେ ନାପସନ୍ଦ କରିଥିଲେ। 

Advertisment

ସୂଚନା ଅନୁସାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ହୃଦ୍‌ରୋଗ ବିଭାଗରେ ୩ ଜଣ ଡାକ୍ତର ଓପିଡିରେ ରୋଗୀ ଦେଖୁଛନ୍ତି। କିନ୍ତୁ ଜଣେ ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସବୁ ରୋଗୀ ଚାହୁଥିବାରୁ ଏଥିପାଇଁ ପ୍ରତିଯୋଗିତା ଲାଗି ରହୁଛି। ‌ଓପିଡିରେ ଥରକରେ ୩୦ ଜଣ ରୋଗୀଙ୍କୁ ଡାକ୍ତର ଦେଖୁଛନ୍ତି। ସେତିକି ରୋଗୀ ସରିବା ପରେ ଅନ୍ୟ ରୋଗୀଙ୍କୁ ଦେଖୁଛନ୍ତି। ପ୍ରଥମ ୩୦ ଜଣ ସରିବା ବେଳକୁ ଡାକ୍ତର ଅପରେସନ୍‌ ଅବା ଅନ୍ୟ କାର୍ଯ୍ୟରେ  ବ୍ୟସ୍ତ ରହୁଛନ୍ତି। ପରେ ଉପରବେଳ ପ୍ରାୟ ୩ଟା ସମୟରେ ଓପିଡିରେ ଦେଖୁଛନ୍ତି। ତେଣୁ ପ୍ରଥମେ ଦେଖାଇବାକୁ ସମସ୍ତଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହୁଛି। ଏଥିପାଇଁ ବଢ଼ି ଭୋରରୁ ରୋଗୀଙ୍କ ସମ୍ପର୍କୀୟମାନେ କ୍ୟାପିଟାଲ ହସ୍‌ପିଟାଲଷର ପହଞ୍ଚିଯାଉଛନ୍ତି। ମାତ୍ର ଏତେ ସମୟ ଧାଡ଼ିରେ ଠିଆ ହୋଇ ରହିବା ସମ୍ଭବ ହେଉନଥିବାରୁ ଲୋକେ ହେଲ୍‌ମେଟ୍‌, ଇଟା, ଚପଲ ଆଦି ରଖି ଲାଇନ୍‌ କରୁଛନ୍ତି।

ଏନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହୁଛନ୍ତି ଯେ ଓପିଡିରେ ୩ ଜଣ ଡାକ୍ତର ବସୁଛନ୍ତି। କିନ୍ତୁ ରୋଗୀମାନେ କେବଳ ଜଣେ ଡାକ୍ତରଙ୍କୁ ଦେଖାଇବାକୁ ଅଡ଼ି ବସୁଛନ୍ତି। ତେଣୁ ଜଣେ ଡାକ୍ତରଙ୍କ ପାଖରେ ଗହଳି ବଢ଼ୁଛି। ସେହି ଡାକ୍ତର ଅପରେସନ୍‌, ଇକୋ ଆଦି କରୁଥିବ‌ାରୁ ରୋଗୀ ଦେଖିବାରେ ବିଳମ୍ବ ହେଉଛି। ତଥାପି ଡାକ୍ତର ସବୁ ରୋଗୀଙ୍କୁ ଓପିଡିରେ ଦେଖୁଛନ୍ତି।