ସାବଧାନ! ଧସିଲା ରାସ୍ତା, ହେଲା ସୁଡ଼ଙ୍ଗ

ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାସ୍ତାରେ ଘଳିଆ ସୃଷ୍ଟି ହୋଇ ଆଜି ଏକ ଅଘଟଣ ଘଟିଛି। ନିକୋ ପାର୍କ ରାସ୍ତା ସୁନାଦେଈ ମନ୍ଦିର ନିକଟରେ ରାସ୍ତା ୫ଫୁଟ ଧସିଯାଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଏକ କାର୍‌ ସେଇ ରାସ୍ତା ବାଟ ଦେଇ ଅତିକ୍ରମ କରିବା ବେଳେ ରାସ୍ତା ଧସି ଯାଇଥିଲା। ସୌଭାଗ୍ୟବଶତଃ ସେହି ନିର୍ଦିଷ୍ଟ ସମୟରେ କେହି ରାସ୍ତାରେ ଯାଉ ନଥିବାରୁ ବଡ଼ ଦୁର୍ଘଟଣା ଘଟି ନଥିଲା। ୨୮ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ଏହି ରାସ୍ତା ଦି ଓ୍ଵାର୍ଲ୍‌ଡ ଟ୍ରାଫିକ୍‌ ଛକରୁ ନିକୋ ପାର୍କ ରାସ୍ତା ଆଡ଼କୁ ମାତ୍ର ୫୦ ମିଟର ଦୂରରେ ଏହିଭଳି ଘଟଣା ଘଟିଥିଲା। ଫଳରେ ରାସ୍ତା ତଳେ ଏକ ସୁଡ଼ଙ୍ଗ ସଦୃଶ ସୃଷ୍ଟି ହୋଇଥିଲା। ସେଠାରେ ଥିବା ଏକ ସ୍ୱେରେଜ୍‌ ଚାମ୍ବରଠାରୁ ଅନ୍ୟ ଏକ ସ୍ୱେରେଜ ଚାମ୍ବର ଥିବା ଚ୍ୟାନେଲ୍‌ ଉପର ରାସ୍ତା ସୁଡ଼ଙ୍ଗ ପାଲଟି ଯାଇଥିଲା। ଏହି ସୁଡ଼ଙ୍ଗ ଯେ ଆଜି ସୃଷ୍ଟି ହୋଇଥିଲା ସେକଥା ନୁହେଁ। ଘଟଣା ଘଟିବାର ୨ ଘଣ୍ଟା ପରେ ପୂର୍ତ ବିଭାଗର ସହକାରୀ ଯନ୍ତ୍ରୀ ନିର୍ମଳ ନାୟକ ପହଞ୍ଚି ଗାତକୁ ଡ୍ରୋଜର୍‌ ଲଗାଇ ଖୋଳି ସେଇ ସୁଡ଼ଙ୍ଗକୁ ପୋତିବାରେ ଲାଗିଛନ୍ତି। ଏନେଇ ଶ୍ରୀ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ସ୍ୱେରେଜ୍‌ ନିକଟରେ ଘଳିଆ ସୃଷ୍ଟି ହୋଇ ବାରମ୍ବାର ପାଣି ଯିବା ଫଳରେ ଏଭଳି ସୁଡ଼ଙ୍ଗ ସୃଷ୍ଟି ହୋଇଥିଲା। ଫଳରେ ମାଟି ଧସି ଏପରି ସ୍ଥିତି ଉପୁଜିଥିଲା। ଲଗାଣ ବର୍ଷା ଯୋଗୁଁ ଆଜି ସିନା ଏଭଳି ଅଘଟଣ ଘଟିଛି, କିନ୍ତୁ ରାଜଧାନୀରେ ଏମିତି ଅନେକ ଚାମ୍ବର କଡ଼ରେ ପାଣି ଘଳିଆ ଫିଟିଛି। ଉପରକୁ ଜଣା ପଡ଼ୁ ନଥିଲେ ହେଁ ଏହା ଭିତରେ ଭିତରେ ଯେ ସୁଡ଼ଙ୍ଗ ସୃଷ୍ଟି କରିନଥିବ ତାହା କହି ହେବ ନାହିଁ। ତେଣୁ ସ୍ୱେରେଜ ଯାଇଥିବା ରାସ୍ତାରେ ଏଭଳି ଘଳିଆ ଯାଇଛି କି ନାହିଁ ଏଥି ପ୍ରତି ଦୃଷ୍ଟି ଦେବା ପୂର୍ତ ବିଭାଗର ଦାୟିତ୍ୱ ହୋଇଥିଲେ ହେଁ ଏହା କେବେ କରାଯାଇ ନାହିଁ। ତେବେ ଆଗକୁ ଯେପରି ଏପରି ଅଘଟଣ ନଘଟେ ସେଥି ପ୍ରତି ଦୃଷ୍ଟି ଦେବା ସହ ପୂର୍ବରୁ ପରିସ୍ଥିତି ଉପରେ ନଜର ରଖିବାକୁ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।

ଆଗକୁ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିମାନେ କିମ୍ବା କ୍ରୀଡ଼ାପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଥିବାରୁ ଏ ଦିଗରେ ପୂର୍ତ ବିଭାଗ ଯତ୍ନବାନ ହେବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ରାଜଧାନୀର ଅନ୍ୟ କିଛି ସ୍ଥାନରେ ମଧ୍ୟ ଖାଲଖମା ସୃଷ୍ଟି ହୋଇଛି। ତାହା ମଧ୍ୟ ନାଳକୁ ଫିଟିଛି। ବର୍ଷା ସମୟରେ ପାଣି ପୂର୍ଣ୍ଣ ରହୁଥିବା ବେଳେ ଏହା ବିପଦ ସୃଷ୍ଟି କରୁଛି। ସେହିପରି ନିୟମିତ ବର୍ଷା ହେଲେ ପାଣିର ଧାର ଫିଟୁଥିବାରୁ ରାସ୍ତା ଯେ ନ ଧସିବ ତାହା କହି ହେବ ନାହିଁ। ତେଣୁ ଏ ଦିଗରେ ପୂର୍ତ ବିଭାଗ ଗୁରୁତ୍ୱ ନଦେଲେ ଆଗକୁ ଅନ୍ୟ କେଉଁଠାରେ ଏପରି ଅଘଟଣ ଘଟିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର