ପୂରା ବିଶ୍ବ ପାଣିପାଗରେ ଏବେ ଏକ ବଡ଼ଧରଣର ପରିବର୍ତ୍ତନ ଘଟି ଚାଲିଛି। ଏଥିପାଇଁ ଅଦିନିଆ ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଘଟିବା ସହ ଋତୁଚକ୍ରରେ ଅସମାନତା, ମୌସୁମୀରେ ଅନିୟମିତତା, ଗ୍ଲେସିୟର୍‌ ତରଳିବା ଭଳି ଘଟଣା ଘଟୁଛି। ବୃକ୍ଷରୋପଣ ହିଁ ଏହାର କେବଳ ଗୋଟିଏ ମାତ୍ର ନିରାକରଣ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ବୃକ୍ଷରୋପଣ କରାଯିବା ଉଚିତ। ତେବେ ଖାଲି ଗଛଟିଏ ଲଗାଇ ଦେଲେ ହେବ ନାହିଁ, ବଡ଼ ହେବା ପର୍ଯ୍ୟନ୍ତ ତା’ର ନିୟମିତ ଯତ୍ନ ନେବା ଆବଶ୍ୟକ। ‘ସମ୍ବାଦ’ ଫୋନ୍‌ ଇନ ପ୍ଲିଜ୍‌ର ଚଳିତଥରର ବିଷୟ ‘ଯୁଦ୍ଧକାଳୀନ ଭିତ୍ତିରେ
ବ୍ୟାପକ ବୃକ୍ଷରୋପଣ ନହେଲେ ରକ୍ଷା ନାହିଁ’ରେ ମତ ରଖି ଅଧିକାଂଶ ପାଠକ ଏପରି କହିଛନ୍ତି।

Advertisment

ବର୍ତ୍ତମାନ ସମୟରେ ପାଣିପାଗରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଛି। ଋତୁଚକ୍ର ସଂପୂର୍ଣ୍ଣ ବଦଳି ଯାଇଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ଏହାସହ ଲଗାଯାଉଥିବା ଗଛଗୁଡ଼ିକ କେମିତି ବଞ୍ଚିବ, ସେଥିପ୍ରତି ମଧ୍ୟ ଗୁରୁତ୍ବ ଦିଆଯିବା ଜରୁରୀ।
ଦୀନନାଥ ଦାସ, ଲକ୍ଷ୍ମୀସାଗର

ପ୍ରତିବର୍ଷ ତାପାମାତ୍ରା ବଢ଼ି ଚାଲିଛି। ଏମିତି ଲାଗି ରହିଲେ, ଆଗାମୀ କିଛି ବର୍ଷ ଭିତରେ ଆମ ସହର ଆୁ ବାସୋପଯୋଗୀ ହୋଇ ରହିବନାହିଁ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ବୃକ୍ଷରୋପଣ କରାଯାଉ।
ଅମରେଶ ବଡ଼ଜେନା, ଭୁବନେଶ୍ବର

ଗଛ ହିଁ ଆମକୁ ରୌଦ୍ରତାପରୁ ରକ୍ଷା କରିବା ସହ ଅମ୍ଲଜାନ ଯୋଗାଇଥାଏ। ଏଣୁ ଗଛ ଲଗାଇବା ନିତାନ୍ତ ଜରୁରୀ। କିନ୍ତୁ ଯୁଦ୍ଧକାଳୀନ ଭିତ୍ତିରେ ନୁହେଁ। ଯେଉଁଠାରେ ଗଛ ଲଗାଇଲେ ସୁରକ୍ଷିତ ଓ ବଞ୍ଚି ରହିବ, ସେଠାରେ ଲଗାଇବା ଆବଶ୍ୟକ। ନଚେତ୍‌ ଏବର୍ଷ ଲଗାଇ ଆରବର୍ଷ କଟା ଯାଉଥିବା ସ୍ଥାନରେ ଲଗାଇବା‌‌ରେ କିଛି ଲାଭ ନାହିଁ।
ସୁରେନ୍ଦ୍ର ନାୟକ, ନିଆଳି/ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର

ମଣିଷ ଜୀବନ ସହ ଗଛ ଓତପ୍ରୋତ ଭାବେ ଜଡ଼ିତ। ଗଛର ପ୍ରତିଟି ଜିନିଷ ମଣିଷର ବ୍ୟବହାର ଆସୁଛି। ତେଣୁ ବ୍ୟାପକ ବୃକ୍ଷରୋପଣ କରିବା ଦ୍ବାରା ଜୀବଜଗତ ନିଜର ସନ୍ତୁଳନ ରକ୍ଷା କରିବା ସହ ମଣିଷକୁ ସୁସ୍ଥ ଓ ସୁନ୍ଦର ଜୀବନ ଜୀଇଁବାରେ ସହାୟକ ହେବ।
ମମତା ଦାସ, ନୂଆପଲ୍ଲୀ

ଗ୍ରୀଷ୍ମ ହେଉ କି ଶରତ, ସବୁ ଋତୁରେ ମଣିଷ ଖରାରେ ସନ୍ତୁଳି ହେଉଛି। ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ, ମାତ୍ରାଧିକ ବୃକ୍ଷରୋପଣ ହିଁ ଏକମାତ୍ର ରାସ୍ତା।
ଆଶିଷ ବାର୍ନାଜୀ, ମୟୂରଭଞ୍ଜ

ପ୍ରତିବର୍ଷ ଯେତିକି ଗଛ କଟାଯାଉଛି, ସେହି ଅନୁପାତରେ କିନ୍ତୁ ରୋପଣ କରାଯାଉନି। ଫଳରେ ବାୟୁମଣ୍ଡଳରେ ତାପାମାତ୍ରା ବୃଦ୍ଧି ଘଟୁଛି। ପରିବେଶବିତ୍‌ମାନେ କହୁଛନ୍ତି ଯେ ବୃକ୍ଷରୋପଣ ଦ୍ବାରା ଆମେ ତାପମାତ୍ରାକୁ ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ହ୍ରାସ କରିପାରିବା। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ସଠିକ୍ ସ୍ଥାନ ଚିହ୍ନଟ କରି ଗଛ ଲଗାଇବା ଜରୁରୀ।
ଦେବାଶିଷ ସାହୁ, ଭୁବନେଶ୍ବର

କଂକ୍ରିଟ୍ ଜଙ୍ଗଲ ପାଇଁ ତାପମାତ୍ର‌ାରେ ବୃଦ୍ଧି ଘଟୁଛି। ଲୋକେ ଘର ତିଆରି କରିବା ପାଇଁ ଗଛକୁ ବିନା ଦ୍ବନ୍ଦ୍ବରେ ବଳି ଦେଇ ଦେଉଛନ୍ତି। ତେଣୁ ସରକାର ଏମିତି ନିୟମ କରନ୍ତୁ ଯେ ଯେଉଁମାନେ ବିଡିଏ କିମ୍ବା ଅନ୍ୟ ଗୃହ ନିର୍ମାଣ ସଂସ୍ଥାଠାରୁ ପ୍ଲାନ୍‌ ଆଣିବେ, ସେମାନଙ୍କ ପାଇଁ ଅତିକମ୍‌ରେ ୫ଟି ଗଛ ଲଗାଇବା ବାଧ୍ୟତାମୂଳକ କରାଯାଉ। ତେବେ ଯାଇ ପରିବେଶରେ ସନ୍ତୁଳନ ରକ୍ଷା ହୋଇପାରିବ।
ତହମୂଲ ହୋସେନ୍, ରାଧାକୃଷ୍ଣନଗର

ଆମ ରାଜ୍ୟରେ ଯେତେ ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଅଛି, ପ୍ରତିବର୍ଷ ସେଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ବୃକ୍ଷରୋପଣ କରିବା ପାଇଁ ସରକାର ଧାର୍ଯ୍ୟ ଲକ୍ଷ୍ୟ ଦିଅନ୍ତୁ। ସେମାନେ ଗଛ ଲଗାଇବା ସହ ସପ୍ତାହକୁ ଗୋଟିଏ ଦିନ ବାହାର କରି ଗଛଗୁଡ଼ିକର ଯତ୍ନ ନିଅନ୍ତୁ। ତେବେ ଯାଇ ବୃକ୍ଷରୋପଣ ସଫଳ ହୋଇପାରିବ। ନଚେତ ଆଗକୁ ପ୍ରକୃତି ତା’ର ଭୟଙ୍କର ରୂପ ଦେଖାଇବ, ଯାହାକୁ ରୋକିକା କାହା ପକ୍ଷେ ବି ସମ୍ଭବ ହେବ ନାହିଁ।
ରବୀନ୍ଦ୍ର ନନ୍ଦ, ଶିଶୁପାଳଗଡ଼

କେବଳ ଯୁଦ୍ଧକାଳୀନ ଭିତ୍ତିରେ ବୃକ୍ଷରୋପଣ କରିଦେଲେ ହେବନାହିଁ। ଗଛ ଲଗାଇବ ସହ ତା’ର ସଠିକ୍‌ ରକ୍ଷଣାବେକ୍ଷଣା କରି ତାକୁ ବଡ଼ କରିବା ଦାୟିତ୍ବ ବି ଆମକୁ ନେବାକୁ ହେବ। ନଚେତ୍‌ ପ୍ରତିବର୍ଷ ଲକ୍ଷ ଲକ୍ଷ ଗଛ ଲାଗୁଛି, ହେଲେ ତାହା ବଞ୍ଚୁଛି କି ନାହିଁ, କାହା ପାଖରେ ହିସାବ ନାହିଁ।
ଶ୍ରୀବତ୍ସ ମହାନ୍ତି, ଯାଆଁଳା

ଉନ୍ନତିମୂଳକ କାମ ପାଇଁ ଯେଉଁଠି ଯେତିକି ଗଛ କାଟିବାର ଆବଶ୍ୟକତା ହେଉଛି, ପ୍ରଥମେ ସେତିକି ଗଛ ଅନ୍ୟ ଏକ ସୁରକ୍ଷିତ ସ୍ଥାନରେ ଲଗାଯାଉ। ତା’ପରେ ଯାଇ ପ୍ରକଳ୍ପ ସ୍ଥାନରେ ଗଛ କଟାଯାଉ। ଏଥିପାଇଁ ସରକାର କଡ଼ା ନିୟମ ପ୍ରଣୟନ କଲେ, ପରିବେଶରେ ସନ୍ତୁଳନ ବଜାୟ ରହିବ।
ବିଶ୍ବଜିତ୍ ପଟ୍ଟନାୟକ, ଚନ୍ଦ୍ରଶେଖରପୁର

ଆମ ଭାରତୀୟ ଜଙ୍ଗଲ ସୁରକ୍ଷାରେ ଥିବା ଅଧିକାରୀମାନେ କହୁଛନ୍ତି ଯେ ଗଲା ୧୦ ବର୍ଷ ଭିତରେ ୩.୧୪ଲକ୍ଷ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଛି। ହେଲେ ଏହାର ସଠିକ୍‌ ପ୍ରମାଣ ଦେଇପାରୁନାହାନ୍ତି। ତେଣୁ ପ୍ରଚାରରେ ସୀମିତ ନ ହୋଇ ପ୍ରକୃତରେ କେମିତି ବ୍ୟାପକ ସବୁଜବନାନୀ ସୃଷ୍ଟି କରାଯାଇପାରିବ, ସେ ଦିଗରେ ସରକାର ଏବଂ ସାଧାରଣ ଲୋକ ଧ୍ୟାନ ଦିଅନ୍ତୁ।
ଆହ୍ବାନ ପାଇକରାୟ, ୟୁନିଟ୍-୩

ପ୍ରତିଦିନ ଶହଶହ ସଂଖ୍ୟାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଥିବା ଖବରକାଗଜରେ ଦେଖିବାକୁ ମିଳୁଛି। ହେଲେ ତାହାର ସଠିକ ଅନୁଶୀଳନ କଲେ ବୃକ୍ଷରୋପଣ କେବଳ ସଂଖ୍ୟାରେ ହିଁ ସୀମିତ ରହିଯାଉଛି। ସେ ଗଛଗୁଡ଼ିକ କେବଳ ପ୍ରଚାରପ୍ରସାର ଏବଂ ନିଜର ସ୍ବାର୍ଥସାଧନ ପାଇଁ ଲଗାଯାଉଛି। ତେଣୁ ଏଭଳି ଚିନ୍ତାଧାରାରୁ ଊର୍ଦ୍ଧ୍ବକୁ ଯାଇ ବୃକ୍ଷରୋପଣ କରାଯାଉ।
ଆଶିଷ କୁମାର ପାଣି, ଭୁବନେଶ୍ବର

ବୃକ୍ଷରୋପଣ କରିବାର ମହତ୍ୱ ଆମେ ଜାଣିଲେ ମଧ୍ୟ ଜଙ୍ଗଲକୁ ସୁରକ୍ଷା ନଦେବା ଏବଂ ବୃକ୍ଷରୋପଣ ନ କରିବା ହେତୁ ମାନବ ସମାଜ ଆଜି ଏକ ଅଜଣା ଭୟ ଓ ଆଶଙ୍କା ମଧ୍ୟରେ ଗତି କରୁଛି। ବ୍ୟାପକ ବୃକ୍ଷରୋପଣ ହିଁ ଆମର ଏ ଭୟ ଓ ଆଶଙ୍କାକୁ ଦୂର କରିପାରିବ।
ସୁଧାକର ଦାସ, ଖୋର୍ଧା

ଗଛଶୂନ୍ୟତା ହେତୁ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। କୂଅ ପୋଖରୀ ଶୁଖି ଯାଉଛି। ବନ୍ୟପ୍ରାଣୀ ଏବେ ସହରମୁହାଁ ହେଉଛନ୍ତି। ନଦୀ କୂଳରେ ମଧ୍ୟ ଗଛ ଲଗାଇ ମୃତ୍ତିକା ସଂରକ୍ଷଣ କରିବା ଆବଶ୍ୟକ।
ନୀଳମଣି ମିଶ୍ର, ସୁନ୍ଦରପଦା

ବୃକ୍ଷରୋପଣକୁ ଖାମଖିଆଲି ଭାବେ ନେବା ଠିକ୍‌ ନୁହେଁ। ଗଛ ଲଗାଇବା ଯେତିକି ଗୁରୁତ୍ବପୂର୍ଣ୍ଣ, ତା’ର ଯତ୍ନ ନେଇ ତାକୁ ବଢ଼ାଇବା ସେତିକି ଗୁରୁତ୍ବପୂର୍ଣ୍ଣ।
କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗୀ

ବୃକ୍ଷ ରୋପଣ ସହ ବୃକ୍ଷ ସୁରକ୍ଷା ପାଇଁ ବିଧାନସଭାରେ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଉ।
ଭାଗୀରଥି ଦାଶ, ସତ୍ୟବିହାର

ସ୍କୁଲର ସ୍କାଉଟ୍‌ ଓ ଏନ୍‌ସିସି କ୍ୟାଡେଟ୍‌ମାନେ ପ୍ରତି ୧୫ଦିନରେ ଥରେ ଶୋଭାଯାତ୍ରାରେ ବାହାରି ବୃକ୍ଷରୋପଣ କରିବା ସହ ଲୋକଙ୍କୁ ସଚେତନ କରିବା ଆବଶ୍ୟକ।
ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର

ବୃକ୍ଷ ହିଁ ଜୀବନ। ଯଦି ଏହାକୁ କଥାରେ ନ କହି କାମରେ କରିବା, ତେବେ ଏହା ବର୍ତ୍ତମାନର ଅନେକ ସମସ୍ୟାକୁ ଦୂର କରିପାରିବ।
ରାଜୀବ ଲୋଚନ ବରାଡ, ଓଡ଼ଗାଁ/ଶୁଭାଞ୍ଜନ ଶତପଥୀ, ହାଇଦ୍ରାବାଦ

ସବୁ ବାପା, ମା’ ତାଙ୍କ ପିଲା ପିଛା ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ବଡ଼ ହେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବା ଉଚିତ।
କାବୁ ମିଶ୍ର, ଗୌତମନଗର

ବୃକ୍ଷ‌ରୋପଣକୁ ସରକାରୀସ୍ତରରେ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଗଛ ପାଇଁ ସଂଗ୍ରାମ କରୁଥିବା ଲୋକମାନଙ୍କୁ ସରକାର ସୁରକ୍ଷା ଦେବା ଉଚିତ।
ନଟବର ମହାରଣା, ଭୁବନେଶ୍ୱର