ବିଜ୍ଞାପନର ‘କ୍ୟାରିୟର ଗାଇଡ୍’ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୦’ ଆଜି ଉନ୍ମୋଚିତ ହୋଇଛି ।

ସ୍ଥାନୀୟ ବରମୁଣ୍ଡାସ୍ଥିତ ‘ବିଜ୍ଞାପନ’ର କାର୍ଯ୍ୟାଳୟ ପରିସରରେ କୌଣସି ଆନୁଷ୍ଠାନିକ ସଭା କିମ୍ବା ଭାଷଣର ବ୍ୟବସ୍ଥା ନଥାଇ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ମାନି ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁମ୍ବାଇସ୍ଥିତ ନାର୍ସି ମୁଞ୍ଜି ବିଶ୍ୱବିଦ୍ୟାଳୟର ହାଇଦ୍ରାବାଦ କ୍ୟାମ୍ପସ ନିର୍ଦେଶକ ଡକ୍ଟର ତପନ କୁମାର ପଣ୍ଡା ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଏଗ୍ରି ବିଜିନେସ ବିଭାଗ ନିର୍ଦେଶକ ଦୀପକ ରାମ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବିଜ୍ଞାପନର ପ୍ରକଳ୍ପ ନିର୍ଦେଶକ ମନୋଜ ପୃଷ୍ଟି, ପ୍ରାଶାସନିକ ନିର୍ଦେଶକ କମଳାକାନ୍ତ ମହାନ୍ତି, ପ୍ରକାଶିକା ରଶ୍ମିତା ମହାପାତ୍ର, ସଂପାଦକ ଦିଲୀପ ମିଶ୍ର, ବ୍ୟାବସାୟିକ ପରିଚାଳକ ସର୍ବେଶ୍ୱର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ମଧୁସ୍ମିତା ପଲେଇ, ଲକ୍ଷ୍ମୀପ୍ରିୟା ରାୟ ଏବଂ ସସ୍ମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଉନ୍ମୋଚିତ ହୋଇଥିବା କ୍ୟାରିୟର ଗାଇଡରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତମାନେ ବିଭିନ୍ନ ପ୍ରଫେସନାଲ ପାଠ୍ୟକ୍ରମରେ ଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଏତଦବ୍ୟତୀତ ଓଡ଼ିଶାରେ ଥିବା ଜାତୀୟସ୍ତରର ସରକାରୀ ଶିକ୍ଷାନୁଷ୍ଠାନ, ରାଜ୍ୟସ୍ତରୀୟ ସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନୁବନ୍ଧନ ଦେଉଥିବା ଜାତୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ, ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ସମ୍ପର୍କିତ ସଂଗଠନ ଏବଂ ବିଭିନ୍ନ ପାଠ୍ୟକ୍ରମର ନାମଲେଖା ବିଜ୍ଞପ୍ତି ଇତ୍ୟାଦି ରହିଛି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଗତ ସପ୍ତାହରେ ବିଜ୍ଞାପନ ପକ୍ଷରୁ ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଏକମାତ୍ର ଡାଇରେକ୍ଟୋରି ‘ଆମ ସମୟର ଶିଳ୍ପ’ ମଧ୍ୟ ନିରାଡମ୍ବର ଭାବେ ଉନ୍ମୋଚିତ ହୋଇଥିଲା । ଏଥିରେ ରାଜ୍ୟରେ ଉତ୍ପାଦନ କରୁଥିବା ସମସ୍ତ ଶିଳ୍ପସଂସ୍ଥା ସମେତ ୭୦୦୦ରୁ ଅଧିକ ଶିଳ୍ପସଂସ୍ଥା ସଂପର୍କରେ ତଥ୍ୟ ରହିଛି । ବିଜ୍ଞାପନର ଭୁବନେଶ୍ୱର ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ପୁସ୍ତକଗୁଡ଼ିକ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର