କାଠମିସ୍ତ୍ରି ଜଗନ୍ନାଥ ହତ୍ୟାକାଣ୍ଡର ପର୍ଦ୍ଦାଫାସ, କାମ ଛାଡ଼ିଦେବାରୁ ରାସ୍ତାରୁ ହଟାଇଦେଲେ

ଷଡ଼ଯନ୍ତ୍ରକାରୀ ପୁଅ ସମେତ ୨ ଗିରଫ, ବାପ ସହ ମୁଖ୍ୟ ଅଭିଯୁକ୍ତ ମୁନାକୁ ପାଉନି ପୁଲିସ

ବାଲିଅନ୍ତା: କାରିଗର ଜଗନ୍ନାଥ ମହାରଣା (୩୫)ଙ୍କ ହତ୍ୟାକାଣ୍ଡ ଉପରୁ ଧଉଳି ଥାନା ପୁଲିସ୍‌ ପରଦା ହଟାଇଛି। କାମ ଛାଡ଼ି ଦେବାରୁ ପ୍ରତିଶୋଧ ପରାୟଣ ହୋଇ ପୁରୁଣା ମାଲିକ ଜଗନ୍ନାଥଙ୍କୁ ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହି ଘଟଣାରେ ପୁଲିସ୍ ମୁଖ୍ୟ ଷଡଯନ୍ତ୍ରକାରୀ ତଥା ମାଲିକ ଜଗନ୍ନାଥ ମହାରଣା (୬୨)ର ପୁଅ ଅଜୟ କୁମାର ଓରଫ ବବୁଲ (୩୦) ଓ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ମାର୍ବଲ ମିସ୍ତ୍ରି ଅନୁପ ବାର (୧୯)କୁ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଏହି ମାମଲା‌ର ଅନ୍ୟ ଦୁଇ ଅଭିଯୁକ୍ତ ଜଗନ୍ନାଥ ଓ ମୁନାକୁ ଧରିବା ପାଇଁ ପୁଲିସ୍‌ ତନାଘନା ଚଳାଇଛି। ଉଭୟ ରାଜ୍ୟ ବାହାରକୁ ଫେରାର୍‌ ହୋଇଯାଇଥିବାରୁ ପୁଲିସର ଏକ ଟିମ୍‌ ସେଠାକୁ ଯାଇଥିବା ସୂଚନା ମିଳିଛି। କିନ୍ତୁ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଏ ସଂପର୍କରେ ପୁଲିସ ବେଶି କିଛି କହିବାକୁ ମନା କରିଦେଇଛି। ସେହିପରି ଏହି ଘଟଣାରେ ପୁଲିସ୍‌ ପପୁ ମହାରଣା ନାମକ ଅନ୍ୟ ଜଣେ ସଂଦିଗ୍ଧକୁ ପଚରାଉଚରା କରିବା ପରେ ଛାଡ଼ି ଦେଇଛି।

କେମିତି ଘଟିଥିଲା ହତ୍ୟାକାଣ୍ଡ
ମୁଖ୍ୟ ଅଭିଯୁକ୍ତ ମୁନା ଓ ମାର୍ବଲ ମିସ୍ତ୍ରି ଅନୁପ ଏହି ହତ୍ୟା ପାଇଁ ଅଜୟଙ୍କଠାରୁ ୬୦ ହଜାର ଟଙ୍କା ସୁପାରି ନେଇଥିଲେ। ମୁନା ସରଦେଇପୁର ଅଞ୍ଚଳରେ ରହୁଥିଲା। ଯୋଜନା ମୁତାବକ, ସେଦିନ (୯ ତାରିଖ ରାତିରେ) ମୁନା ଫୋନରେ ଜଗନ୍ନାଥଙ୍କୁ ମଦ ପିଇବା ପାଇଁ ଡକାଇଥିଲା। ଅନୁପ ମଧ୍ୟ ପାଖରେ ଉପସ୍ଥିତ ଥିଲା। ୩ ଜଣଯାକ ସାଥୀ ହୋଇ ସ୍କୁଟିରେ ଡାକବଙ୍ଗଳା ପଛପଟ ନଦୀପଠାକୁ ଯାଇଥିଲେ। ଜଗନ୍ନାଥଙ୍କୁ ପ୍ରଚୁର ମଦ ପିଆଇ ନିଶାସକ୍ତ କରିଦେବା ପରେ ଅନୁପ ଓ ମୁନା ତାଙ୍କୁ ମାଡ଼ ମାରି ତଳେ ପକାଇ ଦେଇଥିଲେ। ପରେ ଅନୁପ ଜଗନ୍ନାଥଙ୍କ ବେକ, ମୁହଁ ଓ ଗଳାକୁ କାଟି ପକାଇଥିଲା। ଜଗନ୍ନାଥ ନିସ୍ତେଜ ହୋଇଯିବା ପରେ ସେଠାରେ ପଡ଼ିଥିବା ପଥରଖଣ୍ଡରେ ଜଗନ୍ନାଥଙ୍କ ମୁହଁ ଏବଂ ମୁଣ୍ଡକୁ ଛେଚି ପକାଇଥିଲେ। ଉଭୟ ପୁଲିସ ଆଗରେ ଏ ବିଷୟରେ ସ୍ବୀକାର କରିଛନ୍ତି।
ଘଟଣା ପଛରେ ପୂର୍ବ ଶତ୍ରୁତା
ସୁରତରେ ଅଜୟଙ୍କ ଦୋକାନରେ ଜଗନ୍ନାଥ କାଠ କାମ କରୁଥିଲେ। ଗତବର୍ଷ ତାଲାବନ୍ଦ ସମୟରେ ସବୁ ବନ୍ଦ ହୋଇଯିବାରୁ ଜଗନ୍ନାଥ ସେଠାରୁ ପଳାଇ ଆସିଥିଲେ। କିଛି ଦିନ ଘରେ ରହିବା ପରେ ଧଉଳି ପଳାଇ ଆସି ଏଠାରେ ଥିବା ଅଜୟଙ୍କ ପ୍ଲାଏ ଦୋକାନରେ କାମ କରିଥିଲେ। କିନ୍ତୁ ଅଜୟ ତାଙ୍କୁ ପାରିଶ୍ରମିକ ନ ଦେଇ ହଇରାଣ କରୁଥିଲେ। ବକେୟା ଟଙ୍କା ପାଇଁ ଉଭୟ ଅଜୟ ଓ ତାଙ୍କ ବାପା ସହ ଜଗନ୍ନାଥଙ୍କ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଥିଲା। ତେବେ ବାରମ୍ବାର ମାଗିବା ପରେ ମଧ୍ୟ ପଇସା ନ ମିଳିବାରୁ ଜଗନ୍ନାଥ ବରଗଡ଼ରେ ନିଜର ଏକ ଛୋଟମୋଟ ଦୋକାନ ଖୋଲି କାମ ଆରମ୍ଭ କରିଥିଲେ। କିଛି ଦିନ ମଧ୍ୟରେ ଅଞ୍ଚଳରେ ତାଙ୍କ ନାଁ ମଧ୍ୟ ହୋଇଯାଇଥିଲା। ତେଣୁ ଜଗନ୍ନାଥଙ୍କ ଉନ୍ନତି ଦେଖି ବାପ-ପୁଅ ଅସହିଷ୍ଣୁ ହୋଇଯାଇଥିଲେ ଓ ସବୁଦିନ ପାଇଁ ତାଙ୍କୁ ବାଟରୁ ହଟାଇଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ।

ସମ୍ବନ୍ଧିତ ଖବର