ଧଉଳି: କାର୍ ପୋଡ଼ି ଓ ଏହାକୁ ବିରୋଧ କରିବାରୁ ସେଠାରେ ଉପସ୍ଥିତ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ମାମଲାରେ ଧଉଳି ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲା ନିସ୍ତାରିଣିପୁର ଗ୍ରାମର ସନ୍ତୋଷ କୁମାର ଗୋଚ୍ଛାୟତ (୩୦) ଓରଫ ଆବୁଆ।
କୋର୍ଟରେ ଜାମିନ ଖାରଜ ହୋଇଯିବାରୁ ସନ୍ତୋଷକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆବୁଆ ବିରୋଧରେ ଧଉଳି ଥାନା ଏଏସ୍ଆଇ ଅଗାଧୁ ରାଉତ ଲିଖିତ ଅଭିଯୋଗ କରିବାରୁ ପୁଲିସ୍ ଏକ ମାମଲା ରୁଜୁ କରିଥିଲା। ସୂଚନାନୁସାରେ, ୨୦୨୧ ମାର୍ଚ୍ଚ ୨୯ରେ ଦୟା ବ୍ରିଜ୍ ନିକଟରେ ଏକ ଦ୍ରୁତଗାମୀ କାର୍ ଧକ୍କାରେ ଇଟିପୁର ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଏହାର ପ୍ରତିବାଦରେ ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା କାର୍କୁ ପୋଡ଼ି ଦେଇଥିଲେ। ଅଗାଧୁ ବିରୋଧ କରିବାରୁ ଆବୁଆ ତାଙ୍କୁ ମାଡ଼ ମାରିଥିଲା। ଏହାକୁ କେନ୍ଦ୍ର କରି ଆବୁଆ ସମେତ ଆଖପାଖ ଗ୍ରାମର ଅନ୍ୟ ୧୯ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା।