‘ଦାଦାବଟିକୁ ନା’ର ପ୍ରଭାବ: ୧୭ ବର୍ଷ ପରେ ଏତଲା ଦେଲେ

ଭୁବନେଶ୍ବର: ସ୍ଥିତିବାନ ପ୍ଲଟ ଦେଖି ଜମି କିଣିଥିଲେ। କିନ୍ତୁ ଘର କରିବାକୁ ଗଲା ବେଳେ ଦାଦାମାନେ ବାଟ ଓଗାଳିଲେ। କିନ୍ତୁ ଜମିକ୍ରେତାମାନେ ବଟି ଦେବାକୁ ରାଜି ନ ହେବାରୁ ଦାଦାମାନେ ଅଭିନବ ବାଟ ପ୍ରସ୍ତୁତ କଲେ। ଉକ୍ତ ପ୍ଲଟ ପର୍ଯ୍ୟନ୍ତ ଯାଇଥିବା ସରକାରୀ ରାସ୍ତାକୁ ଖୋଳିଦେଲେ। ତେଣୁ ଜମିକ୍ରେତାମାନେ ଗୃହ ନିର୍ମାଣ ପାଇଁ ବାଲି, ଗୋଡ଼ି, ସିମେଣ୍ଟ ଆଦି ପ୍ଲଟକୁ ନେଇପାରିଲେ ନାହିଁ। ଏମିତିକି ମାଲ ନେଇ ଯାଉଥିବା ଟ୍ରକ୍‌ ଡ୍ରାଇଭରଙ୍କୁ ମାଡ଼ ହେଲା। ତେଣୁ ଜମି ପାଖକୁ ଟ୍ରକ୍‌ ଗଲା ନାହିଁ। ଫଳରେ ରାଜଧାନୀରେ ଘରଟିଏ କରିବାର ସ୍ବପ୍ନ ଦେଖିଥିବା ଲୋକଟି ଶେଷରେ ହତାଶ ହେଲା। ଏମିତିରେ ୧୭ବର୍ଷ ବିତିଗଲା। ନା ଘର କରିପାରିଲେ ନା ଜମି ବିକି ପାରିଲେ। ଏବେ କମିସନରେଟ୍‌ ପୁଲିସର ‘ଦାଦାବଟିକୁ ନା’ ଯୋଜନା କାର୍ଯ୍ୟକାରୀ ହେବା ପରେ ସେମାନଙ୍କ ମନରେ ନୂତନ ଆଶା ସଂଚାର ହୋଇଛି। ଯୋଜନା ବାବଦରେ ଶୁଣି ଜଣେ ଜମିକ୍ରେତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇଛି ଓ ପ୍ରାଥମିକ ତଦନ୍ତରୁ ଅଭିଯୋଗ ସତ୍ୟ ବୋଲି ଜାଣିବାକୁ ପାଇଛି। ଏଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଭିଯୋଗକାରୀଙ୍କୁ ଖଣ୍ଡଗିରି ଥାନା ପୁଲିସ ଆଶ୍ବାସନା ଦେଇଛି। ଏଭଳି ସମସ୍ୟା ନେଇ ଏହି ଅଞ୍ଚଳରେ ବାସ କରୁଥିବା ୨୦ରୁ ଊର୍ଦ୍ଧ୍ବ ପରିବାର ବିଭିନ୍ନ ସମୟରେ ହଇରାଣ ହୋଇଥିବାରୁ ସେମାନେ ମଧ୍ୟ ଏତଲା ଦେଇଛନ୍ତି।

ଅଭିଯୋଗ ମୁତାବକ, ୨୦୦୩ ମସିହାରେ ପାଇକରାପୁର ବିଡିଏ କଲୋନି ଫେଜ୍‌-୧ ଠାରୁ ଜଙ୍ଗଲ କଡ଼ ଦେଇ ଲମ୍ବିଥିବା ରାସ୍ତାକଡ଼ରେ ରଣଜିତ ମହାପାତ୍ର ଜମି କିଣିଥିଲେ। ଜମି କିଣିବା ପରେ ତାଙ୍କୁ ଦାଦାବଟି ବାବଦରେ ଲକ୍ଷେ ଟଙ୍କା ମଗାଯାଇଥିଲା। ସେ ଲକ୍ଷେ ଟଙ୍କା ଦେବାକୁ ମନ କରିବାରୁ ଦାଦାମାନେ ତାଙ୍କୁ ହଇରାଣ କଲେ। ଗାଡ଼ି ଆସିବା ପୂର୍ବରୁ ରାସ୍ତାକୁ ଖୋଳି ଦେଉଥିଲେ। ରାସ୍ତା ମରାମତି କରି ଜିନିଷପତ୍ର ନେବା ବେଳେ ଟ୍ରକ୍‌ ଚାଳକକୁ ବାଟରେ ଅଟକାଇ ମାଡ଼ ମାରୁଥିଲେ। ସରକାରୀ କାମରେ ବ୍ୟସ୍ତ ଥିବାରୁ ଅଭିଯୋଗକାରୀ ଶ୍ରୀ ମହାପାତ୍ର ଘଟଣାସ୍ଥଳକୁ ଆସି ଏସବୁ ବୁଝିବା ସମ୍ଭବ ହେଉ ନଥିଲା। ତେଣୁ ଦୀର୍ଘ ୧୭ବର୍ଷ ପର୍ଯ୍ୟନ୍ତ ସେ ଘର କରି ପାରିନଥିଲେ। ରାସ୍ତା ଖୋଳିବା ଯୋଗୁଁ ସେହି ଅଞ୍ଚଳରେ ବାସ କରୁଥିବା ୨୦ ପରିବାର ଅକଥନୀୟ ଅତ୍ୟାଚାରର ଶିକାର ହେଉଥିଲେ। ଏବେ କମିସନରେଟ୍‌ ପୁଲିସର ‘ଦାଦାବଟିକୁ ନା’ ଯୋଜନା ଆସିବା ପରେ ସେମାନେ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର