୮ ମିସ୍ ବ୍ରାଣ୍ଡିଂ ଖାଦ୍ୟ କମ୍ପାନି ବିରୁଦ୍ଧରେ ମାମଲା

କୋଟିଏ ଛୁଇଁବ ଖାଦ୍ୟ ପଞ୍ଜୀକରଣ ଆଦାୟ ଫି’

ଭୁବନେଶ୍ୱର : ରାଜଧାନୀରେ ମିସ୍ ବ୍ରାଣ୍ଡିଂ ଓ ନିମ୍ନମାନର ପ୍ୟାକେଜିଂ ଖାଦ୍ୟ ବିକ୍ରି କରୁଥିବା ୮ଟି କମ୍ପାନି ବିରୁଦ୍ଧରେ କୋର୍ଟରେ ମାମଲା ରୁଜୁ ହୋଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ନିୟମ ଅନୁଯାୟୀ କମ୍ପାନିମାନଙ୍କ ମାମଲା ହୋଇଛି। ଏଥିରେ ଛତୁଆ, କ୍ଷୀର, ବେକେରି, ଖାଇବା ତେଲ, ହୋଟେଲର ଖାଦ୍ୟ ଓ ଥଣ୍ଡା ପାନୀୟ ରହିଛି। ଗତ ୧ବର୍ଷ ମଧ୍ୟରେ ଏହିସବୁ କମ୍ପାନିମାନଙ୍କ ଖାଦ୍ୟ ନମୁନା ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ଏପ୍ରିଲ ମାସରୁ ଚଳିତବର୍ଷ ଅଗଷ୍ଟ ମାସ ମଧ୍ୟରେ ଏହି ଧରପଗଡ଼ ହୋଇଛି। ଜାତୀୟ କିମ୍ବା ଅନ୍ତର୍ଜାତୀୟ କମ୍ପାନି ନୁହେଁ ସ୍ଥାନୀୟ କମ୍ପାନିମାନଙ୍କ କ୍ଷେତ୍ରରେ ମିସ୍ ବ୍ରାଣ୍ଡିଂ ଓ ନିମ୍ନମାନର ଖାଦ୍ୟ ବିକ୍ରି ନଜରକୁ ଆସିଛି। ଏହିସବୁ କମ୍ପାନିମାନଙ୍କର ଖାଦ୍ୟ ଉପରେ ଖାଦ୍ୟ ସୁରକ୍ଷା ପକ୍ଷରୁ ନଜର ରଖାଯାଇଛି। ଗତ ବର୍ଷକ ମଧ୍ୟରେ ମାମଲା ରୁଜୁ ହୋଇଥିବା ୮ଟି କମ୍ପାନି ମଧ୍ୟରୁ ୨ଟି ଛତୁଆ ‌କମ୍ପାନିର ମାମଲା ବିଚାର ହୋଇଛି। ସେମାନଙ୍କଠାରୁ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଅନ୍ୟ କମ୍ପାନିଗୁଡ଼ିକ ବିରୁଦ୍ଧରେ ମାମଲା ବିଚାର କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ବର୍ଷକ ଭିତରେ ରାଜଧାନୀର ୯୧୫ଟି ଖାଦ୍ୟ ପ୍ରତିଷ୍ଠାନକୁ ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୨୩୨ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି। ଏଥିରେ ପାଣି ପାଉଚ୍, ଫାଷ୍ଟ ଫୁଡ୍, ଛୋଟ ହୋଟେଲ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରତିଷ୍ଠାନ ରହିଛି। ଯେଉଁ ହୋଟେଲ୍‌ଗୁଡ଼ିକରେ ବାସି କିମ୍ବା ଦୂଷିତ ଖାଦ୍ୟ ଯାଞ୍ଚ ସମୟରେ ଧରା ପଡ଼ିଥିଲା ସେସବୁ ଖାଦ୍ୟକୁ ନଷ୍ଟ କରାଯାଇଛି। ଏଥିରେ ପ୍ରାୟ ୩ କ୍ବିଣ୍ଟାଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହାସହ ଘଟଣା ସ୍ଥଳରେ ଖାଦ୍ୟର ମାନ ଯାଞ୍ଚ ପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ମିଳିଥିବା ମୋବାଇଲ ଭ୍ୟାନ୍‌ରେ ୮୩ଟି ଖାଦ୍ୟ ନମୁନା ପରୀକ୍ଷା ହୋଇଛି।

ଅପରପକ୍ଷରେ ରାଜଧାନୀରେ ଖାଦ୍ୟ ପ୍ରତିଷ୍ଠାନମାନଙ୍କର ପଞ୍ଜୀକରଣକୁ କଡ଼ାକଡ଼ି କରାଯାଇଛି। ଗତ ବର୍ଷକ ମଧ୍ୟରେ ୧୧୪୫ଟି ଖାଦ୍ୟ ପ୍ରତିଷ୍ଠାନ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ଲାଇସେନ୍‌ସ ପ୍ରଦାନ କରାଯାଇଛି। ସେହିପରି ୨୩୦୫ ଖାଦ୍ୟ ପ୍ରତିଷ୍ଠାନକୁ ପଞ୍ଜୀକରଣ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ପଞ୍ଜୀକରଣ ସାର୍ଟିଫିକେଟ୍ ବାବଦରେ ୧୦୦ଟଙ୍କା ଆଦାୟ କରାଯାଉଥିବା ବେଳେ ଲାଇସେନ୍‌ସ ପାଇଁ ପ୍ରତିଷ୍ଠାନ ଅନୁଯାୟୀ ଫି’ ଆଦାୟ କରାଯାଉଛି। ଏ ବାବଦରେ ଗତ ୧ବର୍ଷ ମଧ୍ୟରେ ୯୮ଲକ୍ଷ ୨୮ହଜାର ୯ଶହ ଟଙ୍କା ଆଦାୟ କରାଯାଇଥିବା ଜଣାପଡ଼ିଛି। ଯାହାକି ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ସର୍ବାଧିକ।

ଅପରପକ୍ଷରେ ରାଜଧାନୀ ସମେତ ଖୋର୍ଧା ଜିଲ୍ଲା ପାଇଁ ଜଣେ ମାତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ ବା ଏଫ୍ଏସ୍ଓ ରହିଛନ୍ତି। କେବଳ ରାଜଧାନୀରେ ୪ହଜାରରୁ ଅଧିକ ଖାଦ୍ୟ ପ୍ରତିଷ୍ଠାନ ରହିଥିବା ବେଳେ ଜଣେ ଏଫ୍ଏସ୍ଓ ଖାଦ୍ୟ ଯାଞ୍ଚ କରିବା ସହିତ ନମୁନା ସଂଗ୍ରହ କରିବା କଷ୍ଟକର ହେଉଛି। ଯାହାଫଳରେ ସବୁ ସମୟରେ ଧରପଗଡ଼ ସମ୍ଭବ ହେଉନାହିଁ। ରାଜଧାନୀର ଅନେକ ସ୍ଥାନରେ ନିମ୍ନମାନର ଖାଦ୍ୟ ବିକ୍ରି ଅଭିଯୋଗ ଆସୁଥିଲେ ହେଁ କର୍ମଚାରୀଙ୍କ ଅଭାବ ଯୋଗୁଁ ଯାଞ୍ଚ ସମ୍ଭବ ହୋଇପାରୁ ନାହିଁ।

ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ। ଆଗକୁ ହକି ବିଶ୍ବକପ୍ ଆସୁଥିବା ବେଳେ ରାଜଧାନୀରେ ବାସି ଓ ଦୂଷିତ ଖାଦ୍ୟ ବିକ୍ରି ଉପରେ ନଜର ରଖାଯିବ। ସେହିପରି ପ୍ୟାକେଜିଂ ଖାଦ୍ୟର ଯାଞ୍ଚକୁ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଉଥିବା ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର