ଏମ୍‌ଡି ଓ ସିଇଓଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ପାଇଁ ଆବେଦନ

ଭୁବନେଶ୍ୱର : ଆପୋଲୋ ହସ୍‌ପିଟାଲ‌୍‌ ଅଗ୍ନିକାଣ୍ଡ ଘଟଣାରେ କର୍ତ୍ତୃପକ୍ଷଙ୍କ ଅବହେଳା ତଥା ଦାୟିତ୍ବହୀନତା ଯୋଗୁ ଏଭଳି ଘଟିଥିବା ଅଭିଯୋଗ କରି ହସ୍‌ପିଟାଲର ସିଇଓ ଓ ପରିଚାଳନା ନିର୍ଦ୍ଦେଶକଙ୍କ ନାମରେ ଥାନାରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ଏସ୍‌ଡିଜେଏମ୍‌ଙ୍କ ନିକଟରେ ଆଇନଜୀବୀ ଲଲାଟେନ୍ଦୁ ଦାସ ଆବେଦନ କରିଛନ୍ତି। ହସ୍‌ପିଟାଲର ଆଇସିୟୁ ପାଖରେ ବ୍ୟାଟେରି ରୁମ୍‌, ରୋଗୀଙ୍କୁ ସ୍ଥାନାନ୍ତର ପରେ ମୃତ୍ୟୁ ପାଇଁ ସେ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ସିଇଓ ସୁଧୀର ଏମ୍‌. ଦିଗିକର ଓ ପରିଚଳନା ନିର୍ଦ୍ଦେଶକଙ୍କ ନାମରେ ସହିଦ୍‌ ନଗର ଥାନାରେ ମାମଲା‌ ରୁଜୁ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଆବେଦନ କରିଛନ୍ତି।

ତାଙ୍କ ଅଭିଯୋଗ ଯେ ପଞ୍ଚମ ମହଲାରେ ଥିବା ଆଇସିୟୁ ଭଳି ସମ୍ବେଦନଶୀଳ ଜାଗାକୁ ଲାଗି ବ୍ୟାଟେରି ରୁମ୍‌ ରହିଥିଲା। ବ୍ୟାଟେରି ରୁମ୍‌ଟି ଏଠାରେ ରହିବା ଉଚିତ ନୁହେଁ। ଦ୍ବିତୀୟ କଥା ହେଉଛି ସେଠାରେ ଅନେକ ହୃଦ୍‌ରୋଗୀ ରହିଥିଲେ। ନିଆଁ ଲାଗିବା ପରେ ସେମାନେ ଛାନିଆ ହୋଇଥିବାରୁ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ନିଆଁ ଲାଗିବାର ଏକଘଣ୍ଟା ପରେ ରୋଗୀଙ୍କୁ ପ୍ରଥମେ ବାହରକୁ ଓ ପରେ ଅନ୍ୟ ହସ୍‌ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଉପଯୁକ୍ତ ସ୍ବାସ୍ଥ୍ୟସେବା ଅଭାବ ଓ ସ୍ଥାନାନ୍ତର ଯୋଗୁ ମୃତ୍ୟ ଘଟିଥିବାରୁ କର୍ତ୍ତୃପକ୍ଷ ଏଥିପାଇଁ ସିଧାସଳଖ ଦାୟୀ। ଏଣୁ କର୍ତ୍ତୃପକ୍ଷ ତଦନ୍ତ ପରିସରଭୁକ୍ତ ହେବା ସହ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର ବୋଲି ସେ କୋର୍ଟରେ ପ୍ରାର୍ଥନା କରିଛନ୍ତି। ଅନ୍ୟପଟେ ସମସ୍ତ ପ୍ରକାରର ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକ୍ଷମ ଥିବା ସହ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରକାର ଅବହେଳା କରାଯାଇ ନାହିଁ ବୋଲି ଆପୋଲୋ ହସ୍‌ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରି ସାରିଛନ୍ତି।

ସମ୍ବନ୍ଧିତ ଖବର