ବିଏମ୍‌ସି କମିସନର ଓ ବିଡିଏ ପ୍ଲାନିଂ ମେମ୍ବରଙ୍କ ନାମରେ ମାମଲା

ଭୁବନେଶ୍ୱର,: ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଓ ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁଙ୍କ ନାମରେ ଆର୍ମସ୍‌ ଆକ୍ଟ ବଳରେ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ଆଦେଶ ବଳରେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରିଛି। ପୂର୍ବରୁ ଥାନା, ବିଏମ୍‌ସି, ବିଡିଏକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅଭିଯୋଗକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଗମ୍ଭୀରତାକୁ ବିଚାର କରି କୋର୍ଟ ଏହି ଦୁଇ ଅଧିକାରୀଙ୍କ ସମେତ ୨୦ ଜଣଙ୍କ ନାମରେ ତୁରନ୍ତ ମାମଲା ରୁଜୁ କରିବାକୁ ଆଦେଶ ଦେଇଥିଲେ।

ଅଭିଯୋଗ ମୁତାବକ, ବରମୁଣ୍ଡା ଗ୍ରାମର ଚିତ୍ତରଞ୍ଜନ ରାୟଙ୍କର ଶଙ୍କରପୁର ମୌଜାର ଖାତା ୪୦୭ ପ୍ଲଟ ୩୦୫୭ରେ ଏକ ଜାଗା ରହିଛି। ଶ୍ରୀଜଗନ୍ନାଥ ପ୍ରମୋଟର୍ସ ଆଣ୍ଡ ବିଲ୍ଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରେପାଇଟର୍‌ ପ୍ରଦୀପ୍ତ ବିଶ୍ବାସରାୟ ଓ ଭାଗିଦାର କୈଳାସ ଚନ୍ଦ୍ର ରଥ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ବେଆଇନ ଭାବେ ଏହି ଜମି ହାତେଇବା ସହ ରାସ୍ତା ନିର୍ମାଣ କରିଛନ୍ତି। ସେମାନେ ଏହା ପଛରେ ୧୭ ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ କରୁଛନ୍ତି। ଏନେଇ ଚିତ୍ତ ପ୍ରତିବାଦ କରିବାରୁ ଅଭିଯୁକ୍ତଙ୍କ ସମେତ ୨୦ଜଣ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏନେଇ ସେ ବିଏମ୍‌ସି ଓ ବିଡିଏ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କେହି ସମସ୍ୟାର ସମାଧାନ କରି ନଥିଲେ। ପୁଲିସ ମଧ୍ୟ ଏତଲା ରଖି ନଥିଲା। ଏଣୁ ସେ ବାଧ୍ୟ ହୋଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅନ୍ୟପଟେ ୧୭ମହଲା ବିଶିଷ୍ଟ ଘର ତିଆରି କରିବା ପାଇଁ ଅନୁମତି ନ ଥିଲେ ମଧ୍ୟ ଏଠାରେ ତିଆରି ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ମୋଟା ଅଙ୍କର ଲାଞ୍ଚ କାରବାର ହୋଇଥିବା ସେ ଅଭିଯୋଗ କରିଛନ୍ତି। ବିଏମ୍‌ସି ଓ ବିଡିଏ ଅଧିକାରୀମାନେ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଖୋଳତାଡ଼ ହେଲେ ଏହା ପଛରେ ଥିବା ଏକ ବିରାଟ ଘୋଟାଲା ପଦାକୁ ଆସି ପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର