ନିଷ୍ପତ୍ତି ପ୍ରତ୍ୟାହାର କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବିଦେଶୀ ମଦ ଦୋକାନ ସ୍ଥାନାନ୍ତରକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ଅବକାରୀ ଆଇନ ଉଲ୍ଲଂଘନ କରି ଭୁବନେଶ୍ୱରର ଜୟଦେବବିହାରଠାରେ ବିଦେଶୀ ଠିପି ବନ୍ଦ ମଦ ଦୋକାନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଘଟଣାକୁ ସରକାର ହାଇକୋର୍ଟରେ ସ୍ୱୀକାର କରିଛନ୍ତି। ଏହି ସ୍ଥାନରେ ମଦ ଦୋକାନ ଖୋଲିବା ସଂପର୍କରେ ୨୦୧୭, ଅକ୍ଟୋବର ୧୦ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ଖୋର୍ଧା ଜିଲ୍ଲାପାଳ ପ୍ରତ୍ୟାହାର କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନୀତ ସରନ ଓ ଡ. ଜଷ୍ଟିସ ବି.ଆର୍‌.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜୟଦେବ ବିହାର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସଂପୃକ୍ତ ମଦ ଦୋକାନ ପାଇଁ ଅନୁମତି ପ୍ରଦାନ ଏକ ତ୍ରୁଟି ଥିଲା ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସ୍ୱୀକାର କରାଯାଇଥିଲା। ଏପରି ଆଦେଶ ୨୦୧୭, ନଭେମ୍ବର ୩ରେ ପ୍ରତ୍ୟାହାର କରାଯିବା ସହିତ ସଂପୃକ୍ତ ମଦ ଦୋକାନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା। ମଦ ଦୋକାନ ସ୍ଥାନାନ୍ତର ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇ ସାରିଥିବା ଦୃଷ୍ଟିରୁ ଖଣ୍ଡପୀଠ ମାମଲାର ଶୁଣାଣି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଭୁ ପ୍ରସନ୍ନ ମହାପାତ୍ର ଓ କଳ୍ପତରୁ ଖୁଣ୍ଟିଆ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜାତୀୟ ରାଜପଥର ୫ଶହ ମିଟର ଭିତରେ କୌଣସି ମଦ ଦୋକାନକୁ ଅନୁମତି ନ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏପରି ପରିସ୍ଥିତିରେ ଜୟଦେବବିହାର ନିକଟରେ ରାସ୍ତା କଡରେ ଥିବା ଗୋଟିଏ ବିଦେଶୀ ମଦ ଦୋକନକୁ ୟୁନିଟ-୧୬, ମୌଜା-ଜୟଦେବ, ପ୍ଲଟ ନମ୍ବର ୨୫୬କୁ ସ୍ଥାନାନ୍ତର ପାଇଁ ଅବକାରୀ ବିଭାଗ ଅନୁମତି ଦେଇଥିଲା। ଏହି ସ୍ଥାନରେ ମଦ ଦୋକାନ ଖୋଲିବା ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ଦର୍ଶାଇ ଜୟଦେବବିହାର ବରିଷ୍ଠ ନାଗରିକ ମଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୧୭, ସେପ୍ଟେମ୍ବର ୬ରେ ହାଇକୋର୍ଟ ମଦ ଦୋକାନ ସ୍ଥାନାନ୍ତର ନିଷ୍ପତ୍ତିକୁ ରଦ୍ଦ କରିଥିଲେ। ଅନ୍ୟପକ୍ଷରେ ମଦ ଦୋକାନ ସ୍ଥାନାନ୍ତର ପ୍ରସଂଗରେ କୌଣସି ନିୟମ ଉଲ୍ଲଂଘନ ହୋଇ ନଥିବା ଦର୍ଶାଇ ଏଥି ପାଇଁ ୨୦୧୭, ଅକ୍ଟୋବର ୧୦ରେ ଜିଲ୍ଲାପାଳ ଅନୁମତି ଦେଇଥିଲେ। ଏପରି ନିଷ୍ପତ୍ତି ବେଆଇନ ଦର୍ଶାଇ ପୁଣି ଥରେ ନାଗରିକ ମଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର