ଭୁବନେଶ୍ବର: ଚିକିତ୍ସା ନ କରି ଘରୋଇ ହସ୍ପିଟାଲ ଫେରାଇ ଦେବାରୁ ବରିଷ୍ଠ ନାଗରିକ ରବୀନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟଣାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ବଢିବାରେ ଲାଗିଛି। ମାନବାଧିକାର କମିସନରେ ଅଭିଯୋଗ ପରେ ଏବେ ଥାନାରେ ଏତଲା ହୋଇଛି। ଛାତ୍ର ନେତା ଇତିଶ୍ ପ୍ରଧାନ ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ସହିଦନଗର ଥାନାରେ ଏତଲା ଦେଇଛନ୍ତି। ଏହା ସହ ଡିସିପିଙ୍କୁ ମଧ୍ୟ ଅଭିଯୋଗ କରିଥିବା ଇତିଶ୍ ପ୍ରଧାନ କହିଛନ୍ତି। ଗତ ୨୭ ତାରିଖ ରାତିରେ ରବୀନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ଝିଅ ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ବମିଖାଲ ପାଖ ଅଞ୍ଚଳରୁ ଆସିଥିବା ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଫେରାଇ ଦେଇଥିଲା। ସେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ମିଳି ନ ଥିଲା। ଫଳରେ ବାଧ୍ୟ ହୋଇ ବାପାଙ୍କୁ ସେଠାରୁ ନେଇ ଅନ୍ୟ ଏକ ହସ୍ପିଟାଲ ଯାଉଥିବା ସମୟରେ ବାଟରେ ବାପା ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏପରିକି ମୃତଦେହକୁ ନେଇ ଭଡ଼ା ଘରକୁ ଆସିଥିଲେ ବି ମାଲିକ ଘରେ ନ ପୂରାଇ ବିଦା କରି ଦେଇଥିଲେ। ଏହି ଘଟଣାରେ ଉଭୟ ସମ୍ପୃକ୍ତ ଡାକ୍ତରଖାନା ଓ ଘର ମାଲିକଙ୍କ ବିରୋଧରେ ଏତଲା ଦିଆଯାଇଛି।