ଇସ୍କନ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ରୁଜୁ ହେଲା ମାମଲା

ମାରପିଟ୍‌ କରିନୁ, ଉଚ୍ଛେଦରେ ସହଯୋଗ କରିଛୁ: ଇସ୍କନ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଗତ ଶନିବାର ଇସ୍କନ୍‌ ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ବେଳେ ପୁଲିସ, ବିଡିଏ, ବିଏମ୍‌ସି ଅଧିକାରୀ ଓ କର୍ମଚାରୀଙ୍କ ଉପରକୁ ଢ଼େଲାମାଡ଼ ଘଟଣାରେ ନୂଆପଲ୍ଲୀ ପୁଲିସ ଏକ ମାମଲା ରୁଜୁ କରିଛି। ବିଡିଏ ଡିଭିଜନ-୨ର ଉଚ୍ଛେଦକାରୀ ଅଧିକାରୀ ପ୍ରମୋଦ ପାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇପିସି ଦଫା ୧୪୩, ୧୪୯, ୪୨୭, ୩୨୩, ୨୯୪, ୩୩୭ ଏବଂ ୩୫୩ରେ ନମ୍ବର ୩୩୩ରେ ମାମଲା ରୁଜୁ କରିଛି। ଇସ୍କନ କର୍ତ୍ତୃପକ୍ଷ ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ବାଧା ଦେବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିବା, ଧକ୍କା ମାରିବା, ଧମକଚମକ ଦେବା, ସମ୍ପତ୍ତି ନଷ୍ଟ କରିବା ନେଇ ପୁଲିସ ମାମଲା ରୁଜୁ କରିଛି। ଅନ୍ୟପଟେ ଇସ୍କନ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନେ ଉଚ୍ଛେଦ ପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଉପସ୍ଥିତ ଜନସାଧାରଣ ଢ଼େଲା ପଥର ମାଡ଼ କରିଛନ୍ତି। ସେହିପରି ଏବେ ଯେଉଁ ଜମିକୁ ସରକାର ନିଜ ଜମି ବୋଲି କହୁଛନ୍ତି, ତାହା ପୂର୍ବରୁ ଇସ୍କନର ଥିଲା। ୧୯୭୭ ମସିହାରୁ ସେଠାରେ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ କୋଠରୀ ଓ ଗୌର ଗୋବିନ୍ଦ ସ୍ୱାମୀ ମହାରାଜ ଗୁରୁଦେବଙ୍କ ସମାଧି ରହିଛି। ତେବେ ୨୦୧୨ରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଉକ୍ତ ଜମିକୁ ଅଧିଗ୍ରହଣ କରିଥିଲେ। କିନ୍ତୁ କ୍ଷତିପୂରଣ ଦେଇନଥିଲେ। ଏନେଇ ଆମେ କୋର୍ଟରେ କେସ୍‌ କରିଥିଲୁ। କ୍ଷତିପୂରଣ ଦେବା ପାଇଁ କୋର୍ଟ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ଆମେ ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନାହୁଁ।

ସମ୍ବନ୍ଧିତ ଖବର