କାଷ୍ଟିଂ କାଉଚ୍‌ ମାମଲା: ପିଣ୍ଟୁଙ୍କୁ ୧୫ ଦିନିଆ ନୋଟିସ୍‌

ଭୁବନେଶ୍ବର: କାଷ୍ଟିଂ କାଉଚ୍‌ ଅଭିଯୋଗରେ ଥାନାରେ ମାମଲା ରୁଜୁ ହେବା ପରେ ବିବାଦକୁ ଆସିଛନ୍ତି ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ନୂଆପଲ୍ଲୀ ଥାନାରେ ଏକ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ନୋଟିସ ଦିଆଯାଇଛି। ୧୫ଦିନ ଭିତରେ ଏହି ଅଭିଯୋଗର ଉତ୍ତର ସେ ଲିଖିତ ଭାବେ ଜଣାଇବେ। ଲିଖିତ କାରଣ ସହ ପୁଲିସ ତଦନ୍ତ ମେଳ ନ ଖାଇଲେ ପିଣ୍ଟୁ ଗିରଫ ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ପିଣ୍ଟୁ ଓ ଅଭିଯୋଗକାରିଣୀ ଆଜି ଗଣମାଧ୍ୟମରେ ବୟାନ ରଖିଛନ୍ତି। ପିଣ୍ଟୁ ସୁଟିଂ ବେଳେ କିମ୍ବା ପୂର୍ବରୁ କେବେ ପୀଡ଼ିତାଙ୍କୁ ଦେଖି ନଥିବା କହିଛନ୍ତି। ତାଙ୍କୁ ପ୍ରଥମଥର ପାଇଁ ସେ ନୂଆପଲ୍ଲୀ ଥାନାରେ ଦେଖିଥିବା ସୂଚନା ଦେଇଛନ୍ତି। ସେହିଭଳି ପୀଡ଼ିତା ମଧ୍ୟ ଗ୍ଲାମର ଦୁନିଆର ଗୁମର ଖୋଲିଛନ୍ତି। ‘ଆଗକୁ ଯିବାକୁ ହେଲେ ଆମ କଥା ରଖିବାକୁ ପଡ଼ିବ’ ବୋଲି ତାଙ୍କୁ କୁହାଯାଉଥିଲା। କଥା ନ ମାନିବାରୁ ତାଙ୍କୁ ଅଶ୍ଳୀଳ ଗାଳିଗୁଲଜ ହୋଇଥିଲା। ତାଙ୍କ ହାତ ଧରି କାର୍‌ ଭିତରକୁ ଟାଣି ନେଇଥିଲେ ପିଣ୍ଟୁ। ନୂଆପଲ୍ଲୀ ଥାନା ସାମ୍ନାରେ ପିଣ୍ଟୁ ପୀଡ଼ିତାଙ୍କୁ କ୍ଷମା ପ୍ରାର୍ଥନା କରିଥିବା ମଧ୍ୟ ସେ କହିଛନ୍ତି। ଉଭୟଙ୍କର ଆରୋପ ପ୍ରତ୍ୟାରୋପ ଏବେ ମାମଲାକୁ ରହସ୍ୟମୟ କରିଛି।

ଅନ୍ୟପଟେ ଏହି ଆରୋପ-ପ୍ରତ୍ୟାରୋପ ଭିତରେ ଆଉ ଏକ ନାମ ଚର୍ଚ୍ଚାକୁ ଆସିଛି। ସେ ହେଉଛି ମାନସ। ପୀଡ଼ିତାଙ୍କୁ ନ ଦେଖି ଫିଲ୍ମରେ ରୋଲ୍‌ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲା। ‘ଲାଗିଲା ରଙ୍ଗ ଗୋଲାପି ଗୋଲାପି’ ଫିଲ୍ମରେ ପିଣ୍ଟୁଙ୍କ ବିପକ୍ଷରେ ଅଭିନେତ୍ରୀ ହେବା ପାଇଁ ତାଙ୍କୁ ପ୍ରଥ‌ମେ ଗୋପାଳପୁର ଡାକିବା ପରେ କଟକ ସିଡିଏ-୯କୁ ଡାକିଥିଲା ମାନସ। ଏହା ପରେ ପଟିଆ ଓ ପରେ ନୂଆପଲ୍ଲୀ ପର୍ଯ୍ୟନ୍ତ ବୁଲାଇଥିଲା। ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ବୁଲାଇବା ପରେ ‘ପିଣ୍ଟୁ ଭାଇଙ୍କ କଥା ବୁଝ’ ବୋଲି କହିଥିଲା। ତେବେ ଏ ସବୁ ଦିଗରେ ପୁଲିସ ତଦନ୍ତ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର