ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ଫେରାର୍‌, ଏୟାରଫିଲ୍ଡ୍‌ ଥାନାରେ ମାମଲା ରୁଜୁ

ପୂର୍ବରୁ ନିଲମ୍ବିତ ହୋଇଥିଲେ ଅଭିଯୁକ୍ତ ଶିକ୍ଷକ

ଜଟଣୀ: ଜଟଣୀ ବ୍ଲକ୍‌ ଅନ୍ତର୍ଗତ ସାନନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ମଲ୍ଲିକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବାରୁ ଅଭିଯୁକ୍ତ ଶିକ୍ଷକ ବିଦ୍ୟାଳୟ ଛାଡ଼ି ଫେରାର ହୋଇଯାଇଛନ୍ତି। ଅପରପକ୍ଷେ ଗ୍ରାମବାସୀମାନେ ଏହି ଘଟଣାକୁ କେନ୍ଦ୍ର କରି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ମୋଟ୍‌ ୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ଏ ସମ୍ପର୍କରେ ସୂଚନା ପାଇ ବ୍ଲକ୍‌ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏ ନେଇ ଏୟାରଫିଲ୍ଡ୍‌ ଥାନାକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଶିକ୍ଷକଶିକ୍ଷୟିତୀଙ୍କୁ ଉଦ୍ଧାର କରିବା ସହିତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ୭ମ ଶ୍ରେଣୀରେ ମାତ୍ର ୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷକ ତ୍ରିନାଥ ମଲ୍ଲିକ ସାହିତ୍ୟ ପଢ଼ାଉଥିଲେ। ଖାତା ଦେଖିବା ବାହାନାରେ ଶିକ୍ଷକ ଶ୍ରୀ ମଲ୍ଲିକ ଜଣେ ଛାତ୍ରୀଙ୍କୁ ଡାକି ଅସଦାଚରଣ କରିଥିଲେ। ତେବେ ଏ ନେଇ ଛାତ୍ରୀଜଣକ ପାଟି କରିବା ସହିତ ସେଠାରୁ ପଳାଇ ଯାଇ ଏ ସମ୍ପର୍କରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଇତିମଧ୍ୟରେ ଶିକ୍ଷକ ଶ୍ରୀ ମଲ୍ଲିକ ସ୍କୁଲ୍‌ ଛାଡ଼ି ପଳାଇଯାଇଥିଲେ। ଉପସ୍ଥିତ ଥିବା ଶିକ୍ଷକଶିକ୍ଷୟିତ୍ରୀମାନେ ଏ ନେଇ କ’ଣ ପଦକ୍ଷେପ ନେବେ ସେ ସମ୍ପର୍କରେ ଆଲୋଚନା କରୁଥିବା ବେଳେ ଏହି ଖବର ଗାଁରେ ପହଞ୍ଚିଯାଇଥିଲା। ଫଳରେ ଗ୍ରାମବାସୀମାନେ ଏକାଠି ହୋଇ ସ୍କୁଲ୍‌ ଭିତରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଅଟକ ରଖିଥି‌ଲେ। ଖବର ପାଇ ଜଟଣୀ ବିଇଓ ରମେଶ ଚନ୍ଦ୍ର ଖଟେଇ, ଏବିଇଓ ମଦନମୋହ ଭୂୟାଁ ଘଟଣାସ୍ଥଳରେ ପହଞ୍ଚିବା ସହିତ ଏ ସମ୍ପର୍କରେ ଏୟାରଫିଲ୍ଡ୍‌ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରି ବିଳମ୍ବିତ ରାତିରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଛାତ୍ରୀଙ୍କ ବାପା ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୫୪/୨୦୨୦ ନମ୍ବର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯାଇଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ରାଜଲକ୍ଷ୍ମୀ ବେହେରା କହିଛନ୍ତି। ବିଇଓ ଶ୍ରୀ ଖଟେଇ କହିଛନ୍ତି ଯେ ଶ୍ରୀ ମଲ୍ଲିକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରାଯାଇଛି। ପୂର୍ବରୁ ଶ୍ରୀ ମଲକ୍ଲିକ ରଥୀପୁର ସ୍କୁଲରେ ଥିବା ବେଳେ ଏପରି ଏକ ମାମଲାରେ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର