ସାଇବର ଥାନାରେ ମାମଲା: ବିଦେଶିନୀଙ୍କ ମାୟାଜାଲରେ ଅବସରପ୍ରାପ୍ତ ଇଞ୍ଜିନିୟର୍‌ ହରାଇଲେ ୪୦ ଲକ୍ଷ

ପୂର୍ବରୁ କେନ୍ଦ୍ରାପଡ଼ାର ବୃଦ୍ଧ ହରାଇଥିଲେ ୫୮ ଲକ୍ଷ

ଭୁବନେଶ୍ବର: ସାଇବର ଠକଙ୍କ ଟାର୍ଗେଟ୍‌ରେ ଅବସରପ୍ରାପ୍ତ ଅଧିକାରୀ। ବିଦେଶିନୀଙ୍କ ନାଁରେ ବନ୍ଧୁତା କରି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା। ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଲୋଭ ଦେଖାଇ ଲୁଟି ନେଇଛନ୍ତି ୪୦ଲକ୍ଷ ଟଙ୍କା। ଲୁଟ୍‌ର ଶିକାର ଯନ୍ତ୍ରୀ ଏ ନେଇ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ୨୦୧୭ରେ ଜଳସମ୍ପଦ ବିଭାଗରୁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ। ତାଙ୍କର ରାଜୀବଭବନ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟକୁ ସମସ୍ତ ଅବସରକାଳୀନ ଟଙ୍କା ଆସିଥିଲା। ଏହି ଆକାଉଣ୍ଟ ପରବର୍ତ୍ତୀ ସମୟରେ ଲୁଇସ୍‌ ରୋଡ୍‌ସ୍ଥିତ ଶାଖାକୁ ସ୍ଥାନାନ୍ତର ହୋଇଥିଲା। ୨୦୧୯ରେ ଯନ୍ତ୍ରୀଙ୍କର ସୋସିଆଲ୍ ମିଡିଆରେ ବ୍ରିଟେନର ମିସ୍ ସୁସନ ମୋର୍ଗାନ ନାମ୍ନୀ ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା। ଏହା ପରେ ସେମାନେ ହ୍ବାଟସ୍‌ଆପ, ଫେସବୁକ୍‌ରେ ଚାଟିଂ କରୁଥିଲେ। ପ୍ରାୟ ଦୁଇବର୍ଷ ପରେ ଏଚ୍‌ଏସ୍‌ବିସି ବ୍ୟାଙ୍କ ଅପେରସନ୍‌ ମ୍ୟାନେଜର ପରିଚୟ ଦେଇ ମାଇକେଲ ଲରେଲ୍ ଜେଫେରସନ୍ ଯନ୍ତ୍ରୀଙ୍କ ପାଖକୁ କଲ୍ କରିଥିଲେ। ସୁମନ ମୋର୍ଗାନଙ୍କ ମୃତ୍ୟୁ ହୋଇଯାଇଛି ଓ ସେ ତାଙ୍କୁ ନୋମିନି କରିଥିବା କହିଥିଲେ। ସୁମନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଥିବା କୋଟି କୋଟି ଟଙ୍କା ତାଙ୍କୁ ମିଳିବ ବୋଲି କହିଥିଲେ। ଅନେକ ସମୟରେ ଅନ୍ୟ ଅଧିକାରୀଙ୍କର କଲ୍ ମଧ୍ୟ ଆସିଥିଲା। ଏଥିପାଇଁ ମେଲ୍ ଆଇଡି ଏବଂ ହ୍ବାଟସ୍‌ଆପ୍‌ରେ କାଗଜପତ୍ର ପଠାଇବା ପାଇଁ ଠକ କହିଥିଲା। ଟଙ୍କା ପାଇବାକୁ ହେଲେ ବିଭିନ୍ନ ଦେୟ ଦେବାକୁ ପଡ଼ିବ ବୋଲି ଠକ କହିଥିଲା। ୨୦୨୦ ଜାନୁଆରି ୯ତାରିଖରୁ ୨୦୨୧ ଫେବ୍ରୁଆରି ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଠକ ୪୦ ଲକ୍ଷ ୫୧ ହଜାର ଟଙ୍କା ଲୁଟି ନେଇଥିଲା। ଏହି ଟଙ୍କା ୫ଟି ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି। ବିଦେଶିନୀଙ୍କ ନାଁରେ ଦେଶ ଭିତରୁ ହିଁ ଏହି ଠକେଇ ହୋଇଥିବା ଜଣାପଡ଼ିଛି। ଏପରିକି ଅଭିଯୋଗକାରୀ ଯନ୍ତ୍ରୀ ଦୁଇ ସାଙ୍ଗଙ୍କଠାରୁ ୨୫ ଲକ୍ଷ ୫୮ ହଜାର ଟଙ୍କା ଆଣିଥିଲେ। ଅନ୍ୟ ସମୟରେ ୪ଟି ଆକାଉଣ୍ଟକୁ ୬ ଲକ୍ଷ ୭୩ ହଜାର ଟଙ୍କା ଯାଇଛି। କିନ୍ତୁ ଏହା ସନ୍ଦେହଜନକ ବୋଲି ସାଇବର ଥାନାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୋଗ ଆଧାରରେ ଆଇପିସି ଧାରା-୪୧୯, ୪୨୦, ୪୬୫, ୪୬୮, ୪୭୧, ୧୭୦, ୩୪ ଏବଂ ଆଇଟି ଆଇନର ଧାନା-୬୬(ସି),୬୬(ଡି)ରେ ମାମଲା ରୁଜୁ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ସଦର ଥାନା ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକ ମଧ୍ୟ ଠକେଇର ଶିକାର ହୋଇଥିଲେ। ସାଇବର ଠକ ଜର୍ମାନୀ ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲି ୫୮ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର