ହାଇକୋର୍ଟରେ ଅଯଥା ମାମଲା ରୁଜୁ କରି ଫସିଲେ ମହକିଲ: ୧୦ ହଜାର ଟଙ୍କା ଅର୍ଥଦଣ୍ଡ, ମାସକ ଭିତରେ ଦାଖଲ କରିବେ

ଜନସ୍ବାର୍ଥ ମାମଲାକୁ ପଇସା ଆୟ ମାମଲା ନକରିବାକୁ କୋର୍ଟଙ୍କ ଚେତାବନୀ

କଟକ: ହାଇକୋର୍ଟରେ ମାମଲା ରୁଜୁ କରି ଫସିଛନ୍ତି ଜଣେ ବ୍ୟକ୍ତି। ତାଙ୍କୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଏଭଳି ଦଣ୍ଡିତ କରିବା ସହିତ ଅଦାଲତ ଜନସ୍ବାର୍ଥ ମାମଲାକୁ ନେଇ ନିଜର ମତ ରଖିଛନ୍ତି। ଜନସ୍ବାର୍ଥ ମାମଲା ନ୍ୟାୟିକ ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। କିନ୍ତୁ ଏହା ପ୍ରଚାରସ୍ବାର୍ଥ ମାମଲା, ବ୍ୟକ୍ତିଗତ ସ୍ବାର୍ଥ ମାମଲା ଅଥବା ପଇସା ଆାୟ ମାମଲା ହେବା ଅନୁଚିତ ବୋଲି ଅଦାଲତ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଭୁବନେଶ୍ବରର ଅଜୟ ବଡ଼ଜେନା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିବା ବେଳେ ତାଙ୍କୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି।

ଅଜୟ ମାମଲାରେ ଦର୍ଶାଇଥିଲେ ଯେ ପଟିଆ ଅଞ୍ଚଳରେ ଶ୍ମଶାନ ପାଇଁ ସଂରକ୍ଷିତ ଥିବା ଜମି ଉପରେ ବେଆଇନ ଭାବେ ଡମ୍ପିଂୟାର୍ଡ ନିର୍ମାଣ କରାଯାଉଛି। ୨୦୨୦, ଜୁନ୍ ୯ରେ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର, ବିଏମସି ଓ ବିଡିଏକୁ ନୋଟିସ୍ ଜାରି କରିବା ସହିତ ପଟିଆ ମୌଜାରେ ଡମ୍ପିଂୟାର୍ଡ ନିର୍ମାଣ ଚାଲିଥିବା ଜମି ଉପରେ ସ୍ଥିତାବସ୍ଥା ଜାରି କରିଥିଲେ। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ସମୟରେ ବିଏମସି ପକ୍ଷରୁ ଦର୍ଶାଯାଇଥିଲା ଯେ ନ୍ୟାସନାଲ ଗ୍ରିନ୍ ଟ୍ରିବୁନାଲ ନିୟମାବଳୀ ଅନୁସାରେ ଏହି ସ୍ଥାନରେ ୩ ନମ୍ବର ୱାର୍ଡ ପାଇଁ ଏକ ମାଇକ୍ରୋ କମ୍ପୋଜିଂ ସେଣ୍ଟର ନିର୍ମାଣ କରାଯାଉଛି। କିନ୍ତୁ ଆବେଦନକାରୀ ଅଜୟ ବଡ଼ଜେନା ବେଆଇନ ଭାବେ କଲ୍ୟାଣ ମଣ୍ଡପ ନିର୍ମାଣ କରିଥିବା ବେଳେ ଏକ ସରକାରୀ ଜମି ମଧ୍ୟ ଜବର ଦଖଲ କରିଥିବା ନେଇ ଅଭିଯୋଗ ରହିଛି। ଏଥି ପାଇଁ ତାଙ୍କୁ ବିଏମ୍‌ସି ପକ୍ଷରୁ ୨୦୧୯ରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଆବେଦନକାରୀ ନିଜ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପରି ଜନସ୍ବାର୍ଥ ମାମଲା ଦାୟର କରିଥିଲେ ବୋଲି ବିଏମସି ପକ୍ଷରୁ ଦର୍ଶାଯାଇଥିଲା। ଆବେଦନର ଶୁଣ‌ାଣି କରି ଏହାକୁ ଖାରଜ କରିବା ସହିତ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଅଜୟଙ୍କୁ ୧୦ ହଜାର ଟଙ୍କା (କଷ୍ଟ) ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ପ୍ରକ୍ରିୟାର ଅପବ୍ୟବହାର କରିଥିବାରୁ କଷ୍ଟ ବାବଦ ୧୦ ହଜାର ଟଙ୍କା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ଆଡଭୋକେଟ୍ସ ୱେଲଫେୟାର ଫଣ୍ଡରେ ଜମା କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ଏକ ମାସ ଭିତରେ ଆବେଦନକାରୀ ୱେଲଫେୟାର ଫଣ୍ଡରେ ଜମା କରିବେ, ନଚେତ ଏହି ଅର୍ଥ ଆଦାୟ ପାଇଁ ଆଇନ ଅନୁସାରେ ପ୍ରକ୍ରିୟା ଗ୍ରହଣ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ ଏପରି ଅଯଥା ଆବେଦନ ଦାୟର ନ କରିବା ପାଇଁ ମହକିଲଙ୍କ ପାଇଁ ଏହା ଏକ ଚେତାବନୀ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର