ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ଏନ୍‌ଜିଟିରେ ପହଞ୍ଚିଲା ମାମଲା

ଚନ୍ଦ୍ରଶେଖରପୁର, ୯/୬ (ଇମିସ): ଶିଖରଚଣ୍ଡୀ ପାହାଡ଼ର ଜୈବବିବିଧତା ନଷ୍ଟ ପ୍ରସଙ୍ଗ ଏବେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ପହଞ୍ଚିଛି। ବିରୋଧ ପରେ ଜନପ୍ରତିନିଧିଙ୍କୁ ଦାବିପତ୍ର ଦେଇଥିବା ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିର ଦ୍ବରସ୍ଥ ହୋଇଛି। ଏହି ଐତିହ୍ୟସଂପନ୍ନ ପାହାଡ଼ ଗ୍ରାମବାସୀଙ୍କ ଭାବାବେଗ ସହିତ ଜଡ଼ିତ ହୋଇଥିବାରୁ ଏନ୍‌ଜିଟି ମାମଲାକୁ ଗ୍ରହଣ କରିବା ସହ ଏହା ଉପରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଜୁନ୍‌ ୧୨ତାରିଖରେ ଏହି ମାମଲା(୬୫/୨୦୨୩)ର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଶିଖରଚଣ୍ଡୀ ସୁରକ୍ଷା ସମିତି ପକ୍ଷରୁ ଏନ୍‌ଜିଟିରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ହେଉଛି ଏକ ଐତିହ୍ୟ ସହର। ମା’ ଶିଖରଚଣ୍ଡୀ ପାହାଡ଼ ଏଠାକାର ସର୍ବପୁରାତନ ପୀଠ। ଖାତା ନମ୍ବର-୪୯୧, ପ୍ଲଟ୍‌ ନମ୍ବର ଏନ୍‌-୧, ଏରିଆ-୨୧୨ ଏକର ୫୦୦ ଡିସିମିଲିର ଏହି ପାହାଡ଼ର କିସମ ଆବାଦ୍ୟ ଅଯୋଗ୍ୟ ଅନାବାଦୀ ରହିଛି। ଏହା ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ, ଯାହାକି ପ୍ରାକୃତିକ ପରିବେଶ ଓ ସବୁଜ ଅରଣ୍ୟାନୀ ଗୁଳ୍ମ ଜାତୀୟ ଜଙ୍ଗଲି ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ ରହିଛି। ଏହି ପାହାଡ଼ଟିର ପ୍ରାକୃତିକ ପରିବେଶରେ ଅନେକ ବିଲୁପ୍ତପ୍ରାୟ ବନ୍ୟଜନ୍ତୁ ଓ ପକ୍ଷୀକୂଳଙ୍କ ଆଶ୍ରୟସ୍ଥଳ। ଏହା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସଂଲଗ୍ନରେ ରହିଛି। ଏହି ପବିତ୍ର କ୍ଷେତ୍ର ପର୍ଯ୍ୟଟକମାନଙ୍କର ପ୍ରମୁଖ ଆକର୍ଷଣ ପାଲଟିଛି। ମାତ୍ର ଦୁର୍ଭାଗ୍ୟର ବିଷୟ ସରକାରୀ ସ୍ତରରେ ପରିବେଶ ଓ ଜଙ୍ଗଲ ଆଇନକୁ ଉଲ୍ଲଂଘନ କରାଯାଇ ନିର୍ମାଣ କରାଯାଉଛି। ପରିବେଶ ମଞ୍ଜୁରି ସାର୍ଟିଫିକେଟ୍‌ ପ୍ରପ୍ତ ନ ହୋଇ ୱାଟ୍‌କୋ କାମ କରୁଛି। ଫରେଷ୍ଟ ଡାଇଭରସନ୍‌-୧୯୮୦, ବାୟୋ-ଡାଇଭରସିଟି ଆକ୍ଟ, ପ୍ଲାଣ୍ଟ ଡାଇଭରସିଟି ଆକ୍ଟ-୨୦୦୨କୁ ଉଲ୍ଲଘଂନ କରି ମନଇଚ୍ଛା ଗଛ ଓ ପାହାଡ଼ କାଟାଯାଉଛି। ଏହାଦ୍ବାରା ଐତିହ୍ୟ କୀର୍ତ୍ତିରାଜି ଧ୍ବଂସ ହେଉଛି। ଏଥିସହ ଗ୍ରାମ ସମୂହରେ କୌଣସି ଜନଶୁଣାଣି ଶିବିର କିମ୍ବା ପଲ୍ଲୀସଭା କରାଯାଇ ନାହିଁ। ତେଣୁ ଆଇନ ଉଲ୍ଲଂଘନ କରିଥିବା ସଂସ୍ଥା ଓ ଅଧିକାରୀଙ୍କୁ ଉପଯୁକ୍ତ ଦଣ୍ଡ ଓ ପରିବେଶ ଆକଳନୀୟ କ୍ଷତି ପୂରଣ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ଏନ୍‌ଜିଟିରେ ମାମଲା ପହଞ୍ଚିଥିବାରୁ ଏବେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପର ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ପ୍ରକଳ୍ପ ଆଗେଇବ ନା ଏନ୍‌ଜିଟି ଛାଟ ବାଜିବ ତାହା ମାମଲା ଶୁଣାଣି ଉପରେ ନିର୍ଭର କରୁଛି। ଗୋଟିଏ ପଟେ ଶିଖରଚଣ୍ଡୀ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ଇତିମଧ୍ୟରେ ଭିତ୍ତିପ୍ରସ୍ତର ପଡ଼ିସାରିଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବାକୁ ଯାଉଥିବା ବେଳେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପକୁ ନେଇ ବିବାଦ ଚିନ୍ତା ବଢ଼ାଇଛି। ଗତ ୧୫ ଦିନ ମଧ୍ୟରେ ନିକଟବର୍ତ୍ତୀ ୧୦ଟି ଗାଁ ଲୋକଙ୍କ ମେଳି ବଡ଼ ଆନ୍ଦୋଳନକୁ ଦାନା ବାନ୍ଧିବାକୁ ଯାଉଛି। ସମିତି ପକ୍ଷରୁ କୁହାଯାଇଛି ବିକାଶ ନାଁରେ ପାହାଡ଼ର ବିନାଶକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଶିଖରଚଣ୍ଡୀ ମନ୍ଦିର ବିକାଶ ନାମରେ ପାହାଡ଼କୁ ବିକ୍ରି କରାଯାଇଛି।

ସମ୍ବନ୍ଧିତ ଖବର