ଭୁବନେଶ୍ୱର: ଗୁରୁବାର ୱାର୍ଡ ନମ୍ବର ୨୯ର କର୍ପୋରେଟର ଅପରୂପ ନାରାୟଣ ରାଉତ ଜଣେ ମହିଳା ସାନିଟାରି ଇନ୍ସ୍ପେକ୍ଟର ଓ ସୁପର୍ଭାଇଜର୍ଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ୍ କରିବା ସହ ଜବତ ଟ୍ରକ୍ର ଚାବିକୁ ଜୋର୍ ଜବରଦସ୍ତ ଛଡ଼ାଇ ନେଇଛନ୍ତି। ଏନେଇ ସହିଦନଗର ଥାନାରେ ପୁଲିସ ଏକ ମାମଲା(୩୧୧/୨୩)ରୁଜୁ କରି ତଦନ୍ତ ଜାରି ରଖିଛି।
କର୍ପୋରେଟର ଗାଳିଗୁଲଜ୍ କରୁଥିବା ଭିଡିଓ ଆଜି ଭାଇରାଲ୍ ହେବା ପରେ ଚର୍ଚ୍ଚା ଜୋର୍ ଧରିଛି। ଜଣେ ଲୋକ ପ୍ରତିନିଧି ମହିଳା କର୍ମଚାରୀଙ୍କୁ ଏଭଳି ଗାଳି କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ସପ୍ଲାୟର୍ ସପକ୍ଷରେ ବାହାରି ଜଣେ ମହିଳା କର୍ମଚାରୀଙ୍କୁ ଗାଳି କରିବା ଓ ଭୟଭୀତ କରାଇ ଚାବି ଛଡ଼ାଇ ନେବା ଘଟଣାକୁ କେହି ଗ୍ରହଣ କରିପାରି ନାହାନ୍ତି। ଅପରୂପ କର୍ପୋରେଟର ଥାଇ ବିଏମ୍ସିର କାର୍ଯ୍ୟାନୁଷ୍ଠାନ ବାବଦରେ ସବୁ ଜାଣନ୍ତି। ସବୁ ଜାଣି ମଧ୍ୟ ସର୍ବସାଧାରଣ ଜାଗାରେ ଜଣେ ମହିଳା କର୍ମଚାରୀଙ୍କୁ କଦର୍ଯ୍ୟ ବ୍ୟବହାର କାହିଁକି କଲେ, ସେନେଇ କେତେକ କର୍ପୋରେଟରଙ୍କ ସମେତ କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଯେଉଁ କର୍ମଚାରୀମାନେ ଏନ୍ଫୋର୍ସମେଣ୍ଟ ଦାୟିତ୍ବରେ ଅଛନ୍ତି ସେମାନେ ଏହି ଘଟଣା ପରେ ଭୟଭୀତ ହୋଇପଡ଼ିଛନ୍ତି। ଲୋକପ୍ରତିନିଧିମାନେ ଯେଉଁଠି ସୁରକ୍ଷା ଦେବା କଥା, ସେଠାରେ ଯଦି ନିଜେ ପକ୍ଷଭୁକ୍ତ ହୋଇ ଆକ୍ରମଣ କରିବେ ବା ଧମକଚମକ ଦେବେ, ତେବେ କେମିତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ଏତଲା ମୁତାବକ, ଗୁରୁବାର ସକାଳେ ସମ୍ପୃକ୍ତ ମହିଳା ଏସ୍ଆଇ ଓ ସୁପରଭାଇଜର ଅସ୍ଲାମ୍ ସେର୍ ଖାନ୍ ୟୁନିଟ୍-୯ ବାଳକ ଉଚ୍ଚବିଦ୍ୟାଳୟ ନିକଟରେ ଏକ ଟ୍ରକ୍ ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ଗଦା କରୁଥିବା ଦେଖିବା ପରେ ଏସ୍ଆଇ ଟ୍ରକ୍ର ଚାବି ନେଇଯାଇଥିଲେ। ସେତିକିବେଳେ କର୍ପୋରେଟର ଶ୍ରୀ ରାଉତ ଏସ୍ଆଇଙ୍କ ଆଡ଼କୁ ଚିହିଁକି ଯାଇ ଗାଳି ଗୁଲଜ୍ କରିବା ସହ ଚାବି ଫେରାଇବାକୁ ଧମକ ଦେଇଥିଲେ। କୌଣସି ପ୍ରକାରର ଜରିମାନା ନ କରିବାକୁ ଚେତାବନୀ ଦେଇଥିଲେ। ‘ତୁମ କମିସନରଙ୍କୁ ଫୋନ୍ ଲଗାଅ’ ବୋଲି କହିଥିଲେ। ମହିଳା ଏସ୍ଆଇ ଜଣଙ୍କ ସର୍ବସାଧାରଣରେ ଏଭଳି ଗାଳିଗୁଲଜ୍ ଶୁଣିବା ପରେ ମାନସିକସ୍ତରରେ ଆଘାତପ୍ରାପ୍ତ ହେବା ସହ ଚାବି ଫେରାଇ ଦେଇଥିଲେ ଓ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଏଣେ କର୍ପୋରେଟର ଶ୍ରୀ ରାଉତ କହିଛନ୍ତି, ବିଏମ୍ସି ଆଗ ଲୋକଙ୍କୁ ସୁବିଧା ଦେଉ, ଆବର୍ଜନା ସଫା କରୁ, ତା’ ପରେ ଯାଇ ସାଧାରଣ ଲୋକଙ୍କ ଠାରୁ ଜରିମାନା ଆଦାୟ କରିବ। ଯେଉଁଠି ଦେଖିବ ସେଠି ଆବର୍ଜନା ଗଦା ହୋଇଛି। ବିଏମ୍ସି ଗରିବ ଲୋକଙ୍କ ଉପରେ ତୋଡ଼ ଦେଖାଉଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି।