ଭୁବନେଶ୍ୱର: କଂଗ୍ରେସଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ଗୋବର ଫିଙ୍ଗି ବିକୃତ କରିବା ସହ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି ଯୁବ, ଛାତ୍ର ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ କମିସନରେଟ୍ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ବିଜେପି ସମର୍ଥକଙ୍କୁ ଗିରଫ କରିବା ସହ ହିଂସା ଘଟାଇବା ପାଇଁ ପ୍ରୋତ୍ସାହନ ଦେଇଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ଆଜି ଛାତ୍ର, ଯୁବ ଓ ମହିଳା କଂଗ୍ରେସର ବହୁ କର୍ମୀ ଏଡିଏମ୍ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କମିସନରେଟ୍ ପୁଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ପହଞ୍ଚି ବିଭିନ୍ନ ଦାବି ନେଇ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ଲୋକସଭାରେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମ ସମ୍ପର୍କରେ ଯେଉଁ ବକ୍ତବ୍ୟ ରଖିଥିଲେ, ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟି କଦର୍ଥ କରୁଛି। ଅପପ୍ରଚାର କରି ବିଜେପି ସାରା ଦେଶରେ ହିଂସା ସୃଷ୍ଟି କରୁଛି। ଜୁଲାଇ ୨ ତାରିଖରେ ବିଜେପି କର୍ମୀମାନେ କଂଗ୍ରେସଭବନ ସମ୍ମୁଖରେ ଥିବା ରାହୁଲ୍ ଗାନ୍ଧୀଙ୍କ ପୋଷ୍ଟରକୁ ଗୋବର ଫିଙ୍ଗିଥିଲେ। କଂଗ୍ରେସ କର୍ମୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଟେକା ପଥର ଫିଙ୍ଗି ରକ୍ତାକ୍ତ କରିଥିଲେ। ଉଦ୍ବେଗର ବିଷୟ ସେଠାରେ ଥିବା ପୁଲିସ କର୍ମଚାରୀ ଆକ୍ରମଣ କରୁଥିବା ବିଜେପି କର୍ମୀଙ୍କୁ ଅଟକାଇନଥିଲା। ତେଣୁ ଆକ୍ରମଣ କରିଥିବା ବିଜେପି କର୍ମୀକୁ ଗିରଫ କରିବା ସହ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି।
କଂଗ୍ରେସର ଏକ ପ୍ରତିନିଧି ଦଳ ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ପୁଲିସ କମିସନର ଶ୍ରୀ ପଣ୍ଡାଙ୍କ ସହ ଆଲୋଚନା ପରେ ଆନ୍ଦୋଳନକାରୀମାନେ ହଟିଥିଲେ। ଆଜିର ଏହି ବିକ୍ଷୋଭରେ ବିଧାୟକ ରମେଶ ଚନ୍ଦ୍ର ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଭାରୀ ଚୁନୁ ସିଂ, ମୀନାକ୍ଷୀ ବାହିନୀପତି, ବିଶ୍ୱଜିତ ଦାଶ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, କିରଣ ସାହୁ, ମନୋଜ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।