ଭୁବନେଶ୍ବର: ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ୍ ହସ୍ପିଟାଲ୍ର ସୁରକ୍ଷାକର୍ମୀଙ୍କୁ ହୋଇଥିବା ଆକ୍ରମଣ ଓ ଡାକ୍ତରଙ୍କୁ ହୋଇଥିବା ଦୁର୍ବ୍ୟବହାର ମାମଲାକୁ ନେଇ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ଦୁଇ ଦିନ ହେଲା ସୁରକ୍ଷାକର୍ମୀମାନେ ଆନ୍ଦୋଳନରେ ବସିଛନ୍ତି। ଆକ୍ରମଣ କରିଥିବା ଅଟୋଚାଳକମାନଙ୍କୁ ଗିରଫ କରିବା ଦାବିରେ ସେମାନେ ଧାରଣା ଦେଇଛନ୍ତି। ସେହିଭଳି ଡାକ୍ତରମାନେ ମଧ୍ୟ ସୁରକ୍ଷା ନ ମିଳିଲେ ରୋଗୀ ସେବା କରିବେ ନାହିଁ ବୋଲି ଆଜି ରୋକ୍ଠୋକ୍ ଜଣାଇ ଦେଇଛନ୍ତି। ଆଜି ବିଭିନ୍ନ ବିଭାଗ ସମ୍ମୁଖରେ ପୁଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ବଡ଼ କଥା ହେଉଛି ସୁରକ୍ଷାକର୍ମୀଙ୍କ ସମର୍ଥନରେ ଆଜିଠୁ ସଫେଇ କର୍ମଚାରୀ ଓ ଆଟେଣ୍ଡାଣ୍ଟମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଅପରାହ୍ଣ ୨ଟା ପରଠୁ ଜରୁରୀକାଳୀନ ବିଭାଗକୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗରେ ଆଟେଣ୍ଡାଣ୍ଟ ନଥିଲେ କି ସଫେଇ ହୋଇନାହିଁ।
ବ୍ଲଗର୍ ଦୀପକ ନାୟକ ଗିରଫ
ଗତ ସୋମବାର ଦିନ କ୍ୟାପିଟାଲ୍ ହସ୍ପିଟାଲ୍ରେ ସୁରକ୍ଷାକର୍ମୀଙ୍କୁ ମାଡ଼ ଘଟଣାରେ ଭିଡ଼କୁ ଉସୁକାଇବା ଅଭିଯୋଗର କ୍ୟାପିଟାଲ୍ ଥାନା ପୁଲିସ ଜଣେ ବ୍ଲଗର୍କୁ ଗିରଫ କରିଛି। ସେ ହେଲା ଭଦ୍ରକ ପୁରୁଷୋତ୍ତମପୁର ଅଞ୍ଚଳର ଦୀପକ ନାୟକ(୨୭)। ଘଟଣା ଦିନ ହସ୍ପିଟାଲ୍ ଶିଶୁ ଚିକିତ୍ସା ୱାର୍ଡରେ ଏକ ଶିଶୁର ମୃତ୍ୟୁ ପରେ ଆନ୍ଦୋଳନକାରୀମାନେ ମେଡିସିନ୍ ଓପିଡି ଆଡକୁ ଦୌଡ଼ିଥିଲେ। ଭିଡ଼ ମଧ୍ୟରେ ଅଭିଯୁକ୍ତ ବ୍ଲଗର୍ ଦୀପକ ଗଣ୍ଡଗୋଳକାରୀଙ୍କୁ ଉସୁକାଇଥିଲା। ସ୍ମାର୍ଟ ସିଟି ଅଟୋ ଆସୋସିଏସନ୍ର ସଦସ୍ୟମାନେ ସୁରକ୍ଷାକର୍ମୀ ସୁବ୍ରତ ବିଶ୍ବାଳଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅଭିଯୁକ୍ତ ଦୀପକ ନାମରେ ପୂର୍ବରୁ କ୍ୟାପିଟାଲ୍ ଥାନାରେ ତିନିଟି ମାମଲା ଥିବା ଜଣାପଡ଼ିଛି।
ଆଜି ସକାଳୁ ହସ୍ପିଟାଲ୍ ପରିସରରେ ସୁରକ୍ଷାକର୍ମୀମାନେ ଆନ୍ଦୋଳନରେ ବସିଥିଲେ। ପୁଲିସ ଜଣକୁ ଅଟକ ରଖିଛି ଏବଂ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଆକ୍ରମଣ କରିଥିବା ଅଟୋ ଚାଳକମାନ ଗିରଫ ନ ହେବା ଯାଏଁ, ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଆଲୋଚନା ବିଫଳ ହେବା ପରେ ପୁଲିସ ଓଏସ୍ଏପି ଆଇଆର୍ବିମାନଙ୍କୁ ବିଭିନ୍ନ ବିଭାଗ ସମ୍ମୁଖରେ ନିୟୋଜିତ କରାଯାଇଥିଲା। ନିଜେ କ୍ୟାପିଟାଲ ଥାନା ଅଧିକାରୀ ବିଭିନ୍ନ ୱାର୍ଡ ବୁଲି ସୁରକ୍ଷା ସ୍ଥିତି ଯାଞ୍ଚ କରିଥିଲେ। ତେବେ ସମସ୍ତ ଆଉଟ୍ସୋର୍ସିଂ କର୍ମଚାରୀମାନେ ଆନ୍ଦୋଳନରେ ବସିବାରୁ ଆସନ୍ତାକାଲିଠାରୁ ହସ୍ପିଟାଲ୍ରେ ଜଟିଳ ପରିସ୍ଥିତି ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଅଟୋଚାଳକ ଗିରଫ ହେଲେ ଆନ୍ଦୋଳନରୁ ହଟିବୁ: ସୁରକ୍ଷାକର୍ମୀ
ସୁରକ୍ଷାକର୍ମୀଙ୍କ ସମର୍ଥନରେ ଧାରଣାଦେଲେ ସଫେଇ କର୍ମୀ ଓ ଆଟେଣ୍ଡାଣ୍ଟ୍
ଅନ୍ୟପକ୍ଷରେ ପିଜିଆଇଏମ୍ଇଆର୍ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ର ଜୁନିୟର ଡାକ୍ତରମାନେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇ ପାରନ୍ତି ବୋଲି ସୂଚନା ମିଳିଛି। ଆଜି ହସ୍ପିଟାଲ୍ ପରିସରରେ ପୁଲିସ, ପିଜିଆଇ ଓ ହସ୍ପିଟାଲ୍ କର୍ତ୍ତୃପକ୍ଷ ଜୁନିୟର ଡାକ୍ତରଙ୍କ ପ୍ରତିନିଧି ସହିତ ଆଲୋଚନା କରିଥିଲେ। ଡାକ୍ତରମାନଙ୍କ ଦାବି ଅନୁସାରେ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ସିଫ୍ଟ ଅନୁସାରେ ୬୦ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଯେଉଁମାନେ ସୋସିଆଲ୍ ମିଡିଆରେ ଡାକ୍ତରମାନଙ୍କ ବିରୋଧରେ ବିଭିନ୍ନ ଅଶ୍ଳୀଳ କଥା ପ୍ରଚାର କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତାକାଲି ଜୁନିୟର ଡାକ୍ତରଙ୍କ ବୈଠକ ପରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ କି ନାହିଁ, ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡା. ରୂପଭାନୁ ମିଶ୍ର କହିଛନ୍ତି ଯେ ଆଉଟ୍ସୋର୍ସିଂ କର୍ମଚାରୀ ଓ ଡାକ୍ତରଙ୍କ ବାବଦରେ ପୁଲିସ ସହିତ ଆଲୋଚନା କରାଯାଇଛି। ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି। ରୋଗୀ ସେବାରେ ଯେପରି କୌଣସି ବ୍ୟାଘାତ ନ ହୁଏ, ସେନେଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି।