ଖଣ୍ଡଗିରି: ମଙ୍ଗଳବାର ବିଳମ୍ବିତ ରାତିରେ ଫୁଲେଶ୍ବରୀ ବସ୍ତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଭରତପୁର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା। ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି। ଫେରାର ଅଭିଯୁକ୍ତକୁ ଗିରଫ ଦାବିରେ ଆଜି ଭରତପୁର ଥାନା ସମ୍ମୁଖରେ ପୀଡ଼ିତ ଓ ତାଙ୍କ ବସ୍ତିର ୫୦ରୁ ଅଧିକ ଲୋକ ଧାରଣା ଦେଇଥିଲେ।ବସ୍ତିର ଖୋକନ୍, ଲିପୁ ଓ ତା’ର ଆଉ ଦୁଇଜଣ ସହଯୋଗୀ ସଂପୃକ୍ତ ଯୁବକଙ୍କୁ ଦାଦାବଟି ମାଗିଥିଲେ। ତେବେ ବଟି ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଧାରୁଆ ଛୁରିରେ ଯୁବକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଯୁବକଙ୍କ ପାପୁଲିରେ ଗଭୀର ଆଘାତ ଲାଗିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଖୋକନ୍ ଓ ଲିପୁକୁ ଗିରଫ କରିଥିଲା।
ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଆଜି ଏହି ଫେରାର ଅଭିଯୁକ୍ତ ଇନ୍ଷ୍ଟାଗ୍ରାମ୍ରେ ଷ୍ଟୋରି ଅପଲୋଡ୍ କରି ପୀଡ଼ିତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ବସ୍ତିର ଲୋକେ ପୀଡ଼ିତ ଓ ତାଙ୍କ ପରିବାରଙ୍କୁ ନେଇ ଆଜି ଭରତପୁର ଥାନା ଆଗରେ ଧାରଣା ଦେଇଥିଲେ। ପରେ ଥାନା ଅଧିକାରୀ ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ଉଠିଥିଲେ।