ବାରଙ୍ଗ: ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ବର ଥାନା ବରିମୁଣ୍ଡ ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେବା ପରେ ହତ୍ୟା ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ସନ୍ତୋଷଙ୍କୁ ଲୁହାରଡ୍ରେ ପିଟିପିଟି ରକ୍ତାକ୍ତ ଅବସ୍ଥାରେ କୁଆଖାଇ ନଦୀ ପଠାରେ ଫିଙ୍ଗିଦେଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ମଞ୍ଚେଶ୍ବର ଓ ନନ୍ଦନକାନନ ଥାନା ପୁଲିସ ଗତକାଲି ରାତାରାତି ୨ଜଣ(ଟିକିରା ଓ ଡକେଇ)ଙ୍କୁ ଗଣ୍ଡରପୁରରୁ ଉଠାଇଛି। ଜମି ଦଲାଲୀରୁ ଘଟିଥିବା ଏହି ଗଣ୍ଡଗୋଳ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୨ଜଣ ଆଜି ସକାଳେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କିନ୍ତୁ ଅପହରଣରେ ବ୍ୟବହାର ହୋଇଥିବା ବୋଲେରୋ ମିଳିପାରିନାହିଁ। ସେହିଭଳି ଏହି ଗଣ୍ଡଗୋଳରେ ସମ୍ପୃକ୍ତ ୮ ଦୁର୍ବୃତ୍ତଙ୍କ ମଧ୍ୟରୁ ଅନ୍ୟ ୪ ଜଣଙ୍କୁ ପୁଲିସ ଠାବ କରିପାରିନାହିଁ। ସେମାନଙ୍କ ମଧ୍ୟରେ ଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଓ ଅନ୍ୟମାନଙ୍କୁ ଠାବ କରିବାକୁ ପୁଲିସ ଚଢ଼ଉ ଜାରି ରହିଛି। ସେପଟେ ସନ୍ତୋଷ ଏବେ ବି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ଜମି ଦଲାଲିରୁ ପ୍ରାଣାନ୍ତକ ଆକ୍ରମଣ
ଗତକାଲି ରାତିରେ କମିସନରେଟ୍ ପୁଲିସ ତ୍ବରିତ ଚଢ଼ଉ କରିଥିଲା। ସିସିଟିଭି ଯାଞ୍ଚ କରି ବୋଲେରୋକୁ ଚିହ୍ନଟ କରିଥିଲା। ଗାଡ଼ି ନମ୍ବରରୁ ଦୁର୍ବୃତ୍ତମାନଙ୍କ ବାବଦରେ ସୁରାକ ମିଳିବା ପରେ ପୁଲିସ ଗଣ୍ଡରପୁରରେ ଚଢ଼ଉ କରି ୨ଜଣଙ୍କୁ ଉଠାଇନେଇଥିଲା। ଏକ ଜମି କିଣାବିକାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦରୁ ସନ୍ତୋଷଙ୍କୁ ଅପହରଣ କରି ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ଅଟକ ଦୁଇ ଯୁବକ ପୁଲିସକୁ ସୂଚନା ଦେଇଥିଲେ। କିନ୍ତୁ ସମସ୍ତ ଅଭିଯୁକ୍ତ ଧରାପଡ଼ିନଥିବାରୁ ଓ ତଦନ୍ତ ଶେଷ ହୋଇନଥିବାରୁ ପୁଲିସ ଏହି ଆକ୍ରମଣର ମୂଳ କାରଣକୁ ନେଇ ମୁହଁ ଖୋଲିନାହିଁ। କିନ୍ତୁ ସ୍ଥାନୀୟ ଲୋକଙ୍କ ଆଲୋଚନାରୁ ମିଳିଥିବା ସୂଚନାନୁସାରେ କଲ୍ୟାଣପୁରରେ ଥିବା ଏକ ୧୭ଗୁଣ୍ଠିଆ ଜମିକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। କେବଳ ଝିଅର ଭାଗ ଥିବା ଦର୍ଶାଇ ଜମି ବିକ୍ରି ହେବା ପରେ ଅନ୍ୟ ଅଂଶୀଦାରମାନେ କୋର୍ଟକୁ ଯାଇଥିଲେ। ଅନ୍ୟ ଅଂଶୀଦାରମାନଙ୍କୁ ସନ୍ତୋଷ ସହଯୋଗ କରିଥିଲେ। ଶେଷରେ କୋର୍ଟ ଜମିର ନୂଆ ପଟ୍ଟା ଓ ଦଲିଲକୁ ଖାରଜ କରିଦେଇଥିଲେ। ଏହାପରେ ଜମି କିଣିଥିବା ଗୋଷ୍ଠୀ ତଥା ବିକ୍ରିରେ ସହଯୋଗ କରିଥିବା ଦଲାଲମାନେ ବିବାଦର ସମାଧାନ ପାଇଁ ସନ୍ତୋଷଙ୍କ ସହ ଯୋଗାଯୋଗ କରିଥିଲେ। କୋର୍ଟକୁ ଯାଇଥିବା ପକ୍ଷଙ୍କୁ କିଛି ଟଙ୍କା ଦେଇ ମାମଲାର ରଫାଦଫା କରିବାକୁ ଜମି ବିକିଥିବା ଦଲାଲମାନେ ଚେଷ୍ଟା କରିଥିଲେ। ମାତ୍ର ସେମାନଙ୍କ ପ୍ରସ୍ତାବରେ କେହି ସମ୍ମତି ଜଣାଇ ନଥିଲେ। ନା ଅନ୍ୟ ଅଂଶୀଦାର ନା ସନ୍ତୋଷ ସେମାନଙ୍କ କଥାରେ ରାଜି ହୋଇଥିଲେ। ତେଣୁ ଦଲାଲମାନେ ବାହୁବଳ ପ୍ରୟୋଗ କରି ବିବାଦର ସମାଧାନ କରିବାକୁ ଯୋଜନା କରିଥିଲେ। ସେମାନଙ୍କ ଟାର୍ଗେଟ୍ରେ ଥିଲେ ସନ୍ତୋଷ।