ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼ ମାମଲା: ଆଖିବୁଜିଲେ ସର୍ବେଶ୍ବର

ସିଲ୍‌ ହେଲା କେନ୍ଦ୍ର, ସାଇଣ୍ଟିଫିକ୍‌ ଟିମ୍‌ର ତନାଘନା

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ଭୋଟପଡ଼ାସ୍ଥିତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ପ୍ରବଳ ମାଡ଼ ଖାଇ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସର୍ବେଶ୍ବର ବେହେରା ଆଜି ଆଖିବୁଜିଦେଇଛନ୍ତି। ଚାରି ଦିନ କାଳ ଆଇସିୟୁରେ ସଂଜ୍ଞାହୀନ ଅବସ୍ଥାରେ ଥିବା ସର୍ବେଶ୍ବରଙ୍କୁ ଡାକ୍ତରମାନେ ବଞ୍ଚାଇପାରିନାହାନ୍ତି। ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଆଇସିୟୁରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ତେଣୁ ମଞ୍ଚେଶ୍ବର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁକରିବା ସହ ନିଶା ନିବାରଣ କେନ୍ଦ୍ରକୁ ସିଲ୍‌ କରିଛି ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ସେଠାରୁ ବିଭିନ୍ନ ନମୁନା ସଂଗ୍ରହ କରିଛି।

ଗୁରୁବାର ସକାଳେ ପାଣ୍ଡରାସ୍ଥିତ ଉକ୍ତ ଘରୋଇ ହସ୍ପିଟାଲରେ ଡାକ୍ତର ସର୍ବେଶ୍ବରଙ୍କୁ ମୃତ ଘୋଷଣା କରିବା ପରେ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପଟେ ପ୍ରଥମରୁ କେବଳ ଆକ୍ରମଣ ମାମଲା ରୁଜୁ କରି ଗତକାଲି ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ଆଜି ହତ୍ୟା ମାମଲା ରୁଜୁ କରିଛି।

ସେହିଭଳି ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ବିଭିନ୍ନ ନମୂନା ସଂଗ୍ରହ କରିଛି। ସିସିଟିଭି ଡିଭିଆର୍‌କୁ ମଧ୍ୟ ଜବତ କରାଯାଇଛି। ସେଥିରେ ସର୍ବେଶ୍ବରଙ୍କୁ ପିଟିବା ପୂର୍ବର କେତେକ ଦୃଶ୍ୟ ଥିବା ବେଳେ ମାଡ଼ ମରାଯାଉଥିବା ସମୟର କୌଣସି ଦୃଶ୍ୟ ନାହିଁ। ଜଣାପଡ଼ିଛି ଯେ ସର୍ବେଶ୍ବରଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପୂର୍ବରୁ ସିସିଟିଭିକୁ ବନ୍ଦ କରିଦିଆଯାଇଥିଲା। ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ସେହିପରି ପୁଲିସ କେନ୍ଦ୍ରକୁ ସିଲ୍‌ କରିବା ସହ ସେଠାରେ ଥିବା ୭ଜଣ ଅନ୍ତେବାସୀଙ୍କୁ ପରିବାରଲୋକଙ୍କ ଜିମା ଦିଆଯାଇଛି।

ପ୍ରକାଶ ଥାଉକି ସର୍ବେଶ୍ୱରଙ୍କ ନିଶା ଛଡ଼ାଇବା ପାଇଁ ପରିବାର ଲୋକେ ଗତ ୨୭ ତାରିଖରେ ଭୋଟପଡ଼ା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ମାତ୍ର ଦୁଇ ଦିନ ପରେ ଅର୍ଥାତ ଗତ ୨୯ ତାରିଖ ରାତି ପ୍ରାୟ ୨ଟା ସମୟରେ ସର୍ବେଶ୍ବରଙ୍କୁ କେନ୍ଦ୍ରର ମାଲିକ ଅନିରୁଦ୍ଧ, ପରିଚାଳକ ଅଙ୍କିତ ଓ ଅନ୍ତର୍ଯ୍ୟାମୀ ପାଇପ୍‌ରେ ପିଟିପିଟି ଲହୁଲୁହାଣ କରିଥିଲେ। ପରଦିନ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ ପାଣ୍ଡରାସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର