ଭୁବନେଶ୍ବର: ଗତ ୪ବର୍ଷ ହେବ ମୁଁ ନର୍ସ ମାଡାମ୍‌କୁ ଜାଣିଛି। ପୂର୍ବରୁ ତାଙ୍କ ସହ  ମୋର ୨-୩ଥର ପାଟିତୁଣ୍ଡ ‌ହୋଇଥିଲା। ଗତକାଲି ଖାଇବା ପାଇଁ ଦେଇଥିଲି, ହେଲେ ସେ ଟଙ୍କା ନଦେବାରୁ ପାଟିତୁଣ୍ଡ ହୋଇଥିଲା। ତାକୁ ନେଇ ମୋର ରାଗ ବଢ଼ିଯାଇଥିଲା। ହସ୍ପିଟାଲ୍‌ରୁ ସେ ଘରକୁ ଫେରିବା ସମୟରେ ମୁଁ ପିଛା କରି ଘର ପର୍ଯ୍ୟନ୍ତ ଯାଇଥିଲି। ଘର ନିକଟରେ ତାଙ୍କୁ ଡାକିଥିଲେ ମଧ୍ୟ ସେ ଜବାବ ଦେଇନଥିଲେ। ତେଣୁ ରାଗରେ କଟୁରିରେ  ଆକ୍ରମଣ କରିଥିଲି। ଗୁରୁବାରଠାରୁ ଅଟକ ଥିବା ଆକ୍ରମଣକାରୀ ତପନ ଦାସ ପୁଲିସକୁ ଏମିତି କିଛି କାହାଣୀ ଶୁଣାଇଛି। ଗୁରୁତ୍ବପୂର୍ଣ୍ଣ ହେଉଛି, ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ ସମ୍‌ ହସ୍ପିଟାଲ୍‌ ନିକଟରେ ତପନର କୌଣସି ଦୋକାନ ନାହିଁ। ତେବେ ସେ କେଉଁ ଦୋକାନରୁ ଖାଇବାକୁ ଦେଇଥିଲା? ନା ଆକ୍ରମଣ ପଛରେ ଅନ୍ୟ କୌଣସି କାରଣ ରହିଛି। ସେ ନେଇ ପୁଲିସ ଅଧିକ ଖୋଳତାଡ଼ କରୁଛି। ବିନୋଦିନୀ ସୁସ୍ଥ ହେବା ପରେ ହିଁ ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ କହିଛି। ଅନ୍ୟପଟେ ଜେରା ପରେ ଭରତପୁର ଥାନା ପୁଲିସ ତପନକୁ କୋର୍ଟଚାଲାଣ କରିଛି।
ପ୍ରକାଶ ଥାଉ କି, ବିନୋଦିନୀ ପରିବାର ସହ ସାମ୍‌ପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ତପନ ମଧ୍ୟ ବିନୋଦିନୀଙ୍କ ଘରଠାରୁ କିଛି ଦୂରରେ ରୁହେ। ଗୁରୁବାର ଅପରାହ୍ଣ ପାଖାପାଖି ସାଢ଼େ ୪ଟା ସମୟରେ ହସ୍ପିଟାଲ୍‌ରୁ ଘରକୁ ଫେରିଥିଲେ। ସେ ଘର ଗେଟ୍‌ ଖୋଲୁଥିବା ସମୟରେ  ହସ୍ପିଟାଲ୍‌ରୁ ପିଛାକରି ଆସିଥିବା ତପନ ତାଙ୍କୁ ହଠାତ୍‌ ସେଠାରେ ଅଟକାଇ ଗାଳିଗୁଲଜ କରିଥିଲା। ସେ କିଛି ବୁଝିବା ପୂର୍ବରୁ ତପନ ଅଣ୍ଟାରେ ଖୋସିଥିବା କଟୁରି କାଢ଼ି ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମୁଣ୍ଡ, ହାତ ଓ ଗୋଡ଼କୁ ଚୋଟ ଉପରେ ଚୋଟ ପକାଇଥିଲା। ମା’ର ପାଟିଶୁଣି ପୁଅ ଜ୍ଞାନରଂଜନ ଧାଇଁ ଆସି ଅଟକାଇବାକୁ ଚେଷ୍ଟା କରିବାରୁ ତପନ ତାଙ୍କୁ ବି ଛାଡ଼ିନଥିଲା। ତାଙ୍କ ମୁଣ୍ଡ, ହାତକୁ ହାଣିପକାଇଥିଲା।