କଟକ : ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳର ଏକ ହୋଟେଲରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ତ୍ବରିତ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ମାମଲାର ବିଚାର ପ୍ରକ୍ରିୟା ତିନି ମାସ ମଧ୍ୟରେ ସାରିବା ପାଇଁ ଭୁବନେଶ୍ବର ଚତୁର୍ଥ ଅତିରିକ୍ତ ଦୌରାଜଜ୍ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୀଡ଼ିତାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ୨୦୨୨, ଅଗଷ୍ଟ ୩୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ହାଇକୋର୍ଟରେ ଭୁବନେଶ୍ବର ଚତୁର୍ଥ ଅତିରିକ୍ତ ଦୌରାଜଜ୍ ଅଦାଲତଙ୍କ ପକ୍ଷରୁ ଦାଖଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ୨୦୧୯ ସେପ୍ଟେମ୍ବର ୧୬ରେ ଅଭିଯୁକ୍ତ ବିଶ୍ବଜିତ ପଟ୍ଟନାୟକଙ୍କ ବିରୋଧରେ ଚାର୍ଜସିଟ ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ କଗନିଜାନ୍ସ ମଧ୍ୟ ଗ୍ରହଣ କରିଥିଲେ। ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ ପୀଡ଼ିତାଙ୍କ ଏତଲା ଆଧାରରେ ଆଇପିସିର ଦଫା ୩୭୬, ୩୮୪, ୫୦୬, ୩୪ ମାମଲା ରୁଜୁ କରିଥିଲା। କିନ୍ତୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିଲା। ପୀଡ଼ିତା ଏ ନେଇ ମହିଳା କମିସନ୍ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ୧୧ମାସ ପରେ ଅଭିଯୁକ୍ତ ବିଶ୍ବଜିତଙ୍କୁ ୨୦୧୯ରେ ପୁଲିସ ଗିରଫ କରିଥିଲା। କିନ୍ତୁ ନିମ୍ନ ଅଦାଲତରେ ମାମଲାର ଶୁଣାଣିରେ ବିଶେଷ ଅଗ୍ରଗତି ହୋଇ ନଥିଲା। ନିମ୍ନ ଅଦାଲତରେ ମାମଲାର ତ୍ବରିତ ଶୁଣାଣି ପ୍ରସଙ୍ଗ ନେଇ ପୀଡ଼ିତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।