ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା: ଜେଲ୍‌ ହାଜତରେ ଅଭିଯୁକ୍ତ ସ୍ବାମୀ, ପରିବାରରେ ପଶିଲା କରୋନା

ପୁରୁଣା ଭୁବନେଶ୍ୱର: ଶୁକ୍ରବାର ରାତିରେ ଏୟାର୍‌ପୋର୍ଟ ଥାନା କାର୍‌ଗିଲ୍‌ ବସ୍ତିରେ ଗର୍ଭବତୀ ପତ୍ନୀଙ୍କୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୁକ୍ତ ସ୍ବାମୀ ମୁରଲୀଧର‌ ବେହେରା(୩୦)କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୃତକ ଶକୁନ୍ତଳା ମାଝୀଙ୍କ ଭାଇ ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉକି ଏୟାର୍‌ପୋର୍ଟ ଥାନା କାର୍‌ଗିଲ୍‌ ବସ୍ତିରେ ଗତକାଲି ରାତି ପ୍ରାୟ ୮ଟାବେଳେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ସ୍ବାମୀ ମୁରଲୀଧର ନିଜ ରୁମ୍‌‌କୁ ଭିତରୁ ବନ୍ଦ କରି ତାଙ୍କ ସ୍ତ୍ରୀ ଶକୁନ୍ତଳାଙ୍କୁ ଏକ ହାତୁଡ଼ିରେ ପିଟି ଚାଲିଥିଲେ। ଶକୁନ୍ତଳା ଚିତ୍କାର କରିଥିଲେ ବି କେହି ତାଙ୍କୁ ବଞ୍ଚାଇବାକୁ ସକ୍ଷମ ହୋଇନଥିଲେ। ସେ ମରିଯିବା ପରେ ମୁରଲୀ ଘର ଭିତରୁ ବାହାରି ଫେରାର୍‌ ହେବାକୁ ଉଦ୍ୟମ କରିଥିଲା, କିନ୍ତୁ ବସ୍ତିବାସିନ୍ଦାମାନଙ୍କ ସହଯୋଗରେ ପୁଲିସ ତାକୁ ଗିରଫ କରିଥିଲା। ଶକୁନ୍ତଳାଙ୍କ ବଡ଼ ଭାଇ ସୁକାନ୍ତ ମାଝୀଙ୍କ ଅଭିଯୋଗ ଅନୁସାରେ ମୁରଲୀ ପୂର୍ବରୁ ଯୌତୁକ ବାବଦରେ ୫୦ ହଜାର ଟଙ୍କା ଦାବି କରୁଥିଲା ଓ ଶକୁନ୍ତଳାକୁ ମାର୍‌ଧର କରୁଥିଲା।

ପରିବାରରେ ପଶିଲା କରୋନା
ହତ୍ୟା ଅଭିଯୁକ୍ତ ମୁରଲୀର ପରିବାରକୁ ବିପଦ ମାଡ଼ି ଆସିଛି। ଅଚାନକ ଘରେ ଘଟିଥିବା ନିର୍ମମ ହତ୍ୟାକାଣ୍ଡରେ ପରିବାର ବର୍ଗ ସ୍ତବ୍ଧ ପାଲଟି ଯାଇଥିବା ବେଳେ ଘରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଖବର ସମସ୍ତଙ୍କୁ ବିଚଳିତ କରିଦେଇଛି। ଅଭିଯୁକ୍ତ ମୁରଲୀକୁ ପୁଲିସ ଥାନା ହାଜତକୁ ଉଠାଇ ନେଇଥିବା ବେଳେ କରୋନା ଆକ୍ରାନ୍ତଙ୍କୁ ପ୍ରଶାସନ କୋଭିଡ୍‌ ହସ୍ପିଟାଲକୁ ଉଠାଇ ନେଇଥିଲା। ରାତାରାତି ହଠାତ୍ ଦୁଇ ଦୁଇଟି ବଡ଼ ବିପଦ ଘର ଉପରେ ମାଡ଼ି ପଡ଼ି ଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ଭାଙ୍ଗି ପଡ଼ିଥିଲେ। ଆଜି ପରିବାରର ଅନ୍ୟ ସଦସ୍ୟମାନଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ହୁଏତ ଆଉ କେହି ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଭୟରେ ଏବେ ପରିବାରଟି ମୁକ ପାଲଟି ଯାଇଛି।

ସମ୍ବନ୍ଧିତ ଖବର