ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହୋଇଥିବା ୧୦ କୋଟି ଟଙ୍କା ମୂଲ୍ୟର ମାରିଜୁଆନା ଜବତ ମାମଲାରେ କଷ୍ଟମ୍ ବିଭାଗକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହି ଚୋରା ଚାଲାଣ ପଛରେ ଏକ ବଡ଼ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ କାମ କରୁଛି ବୋଲି ପ୍ରାଥମିକ ସୂଚନା ମିଳିଛି। କାରଣ ଏହି ନିଶା ଜର୍ମାନୀରୁ ପ୍ରୋସେସିଂ ହୋଇ ମାଲେସିଆ ଦେଇ ଭାରତକୁ ଚୋରାରେ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ଗିରଫ ହୋଇଥିବା ପଶ୍ଚିମବଙ୍ଗର ୨ ମହିଳା ନାସିରା ଖାତୁନ୍ ଓ ଅବିଦା ଖାତୁନ୍ଙ୍କୁ ନାର୍କୋଟିକ୍ସ ବିଭାଗର ଅଧିକାରୀମାନେ ଜେରା କରିବେ ବୋଲି ଜଣାପଡ଼ିଛି। ସେହିଭଳି ସେମାନଙ୍କ ସ୍ବାମୀମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ପ୍ରସ୍ତୁତି ଚାଲିଛି।
ଗିରଫ ହୋଇଥିବା ୨ ମହିଳାଙ୍କ ଘର କୋଲକାତାରେ। ପ୍ରାୟ ମାସକ ତଳେ ସେମାନେ ଏକାଠି ମାଲେସିଆ ବୁଲିବାକୁ ଯାଇଥିଲେ। ଫେରିବା ବେଳେ ସେମାନେ ଭାୟା ଭୁବନେଶ୍ବର ହୋଇ ଆସୁଥିଲେ। ଭୁବନେଶ୍ବର ବିମାନବନ୍ଦରରେ କଷ୍ଟମସ୍ ଅଧିକାରୀମାନେ ସେମାନଙ୍କ ଲଗେଜ୍ ଯାଞ୍ଚ କଲାବେଳେ ସାଢ଼େ ୯କେଜି ମାରିଜୁଆନା ମିଳିଥିଲା। ତୁରନ୍ତ ତାକୁ କଷ୍ଟମସ୍ ଅଧିକାରୀମାନେ କାବୁ କରି ପଚରାଉଚରା କରିଥିଲେ ଏବଂ କୋର୍ଟ ଚାଲାଣ କରିଥିଲେ। କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜବତ ନିଶାକୁ ଯାଞ୍ଚ କରିବା ପରେ ତାହା ଜର୍ମାନୀରୁ ପ୍ରୋସେସିଂ ହୋଇଥିବା ଜଣାପଡ଼ିଥିଲା। ତେଣୁ ପ୍ରୋସେସିଂ ପରେ ମାଫିଆମାନେ ଜର୍ମାନୀରୁ ମାଲେସିଆ ଚାଲାଣ କରିଥିବା ସ୍ପଷ୍ଟ ହୋଇଛି। ମାଲେସିଆରୁ ମାଫିଆମାନେ ଏହି ମହିଳା ଚାଲାଣକାରୀଙ୍କ ଜରିଆରେ ଭାରତକୁ ପଠାଉଥିବା ଜଣାପଡ଼ିଛି। ତେଣୁ ଏହି ନିଶା କାରବାର ପଛରେ ଏକ ବଡ଼ ରୢାକେଟ୍ କାମ କରୁଛି ଏବଂ ଭାରତରେ କେହି ଗଡ୍ଫାଦର ଏହି ଚୋରା ଚାଲାଣର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ କରାଯାଉଛି। ସେହି ଗଡ୍ଫାଦରକୁ ଠାବ କରିବାକୁ ମହିଳାଦ୍ବୟଙ୍କ ସ୍ବାମୀ ଅବଦୁଲ୍ ହଲିମ୍ ଓ ମହମ୍ମଦ ରମଜାନ୍ଙ୍କୁ ଜେରା କରାଯିବ। ଅନ୍ୟ ପକ୍ଷରେ ଅଭିଯୁକ୍ତଙ୍କ ଓକିଲ ଶୁଭ୍ରଜିତ ମହାନ୍ତିଙ୍କ କହିବା କଥା ମାରିଜୁଆନା ଜବତ ହୋଇଥିବା ୨ ଲଗେଜ୍ ମହିଳାଦ୍ବୟଙ୍କର ବୋଲି ପ୍ରମାଣ ମିଳିନାହିଁ। କଷ୍ଟମସ୍ ଅଧିକାରୀମାନେ ସନ୍ଦେହରେ ସେମାନଙ୍କୁ ଗିରଫ କରିଛନ୍ତି।