କଟକ : ଭୁବନେଶ୍ବର ବାଣୀବିହାର ଛକରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସମୟରେ ମୁଖ୍ୟ ରାସ୍ତାରେ କାର୍ ଭିତରେ ଜଣେ ଯୁବତୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସତ୍ୟପାଠ ଦାଖଲ କରାଯାଇ ନଥିବାରୁ ରାଜ୍ୟ ସରକାର, ପୁଲିସ ବିଭାଗ ଓ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୫ ହଜାର ଟଙ୍କା ଲେଖାଏ ତଣ୍ଡ ଗଣି‌ବେ।

Advertisment

୨୦୨୦ ଜାନୁଆରି ୨୦ରେ ମାମଲାରେ ସବିଶେଷ ସତ୍ୟପାଠ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଦେଶ ପାଳନ କରି ସତ୍ୟପାଠ ଦାଖଲ ହୋଇ ନାହିଁ। ଏଭଳି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାର, ପୁଲିସ ବିଭାଗ ଓ ଉତ୍କଳ ବିଶ୍ବବିଦ୍ୟାଳୟକୁ ଶେଷ ସୁଯୋଗ ଦେଇଛନ୍ତି। ପ୍ରତିପକ୍ଷମାନେ ୫ ହଜାର ଟଙ୍କା ଲେଖାଏ କଷ୍ଟ୍‌ ବାବଦରେ ହାଇକୋର୍ଟ ବାର୍ ଆସୋସିଏସନ ୱେଲଫେୟାର ଫଣ୍ଡରେ ମାର୍ଚ୍ଚ ୩ ସୁଦ୍ଧା ଜମା କରିବେ। କଷ୍ଟ୍‌ ବାବଦ ଅର୍ଥ ଜମା ପ୍ରମାଣପତ୍ର ସତ୍ୟପାଠ ସହିତ ପ୍ରତିପକ୍ଷ ଦାଖଲ କଲେ ତାହା ଗ୍ରହଣୀୟ ହେବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୨କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ପାଇଁ ୨୦୧୫ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ବାଣୀବିହାର ଛକରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ମଟର ଅଟକି ରହିଥିଲା। ଏହି ସମୟରେ ସୁମନ ଶର୍ମାଙ୍କ ଗାଡ଼ି ଭିଡ଼ ଯୋଗୁଁ ରାସ୍ତାରେ ଅଟକି ରହିଥିଲା। ଗାଡ଼ି ଭିତରେ ସୁମନ ବେହୋସ୍ ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୁଲିସ କର୍ମଚାରୀ ଓ ଅନ୍ୟମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏନେଇ ମୈତ୍ରୀ ସଂସଦ ପକ୍ଷରୁ ୨୦୧୫ରେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ କମିସନର, ଭୁବନେଶ୍ବର ଡିସିପି, ସହିଦନଗର ଥାନା ଆଇଆଇସି ଓ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।