ଖଣ୍ଡଗିରି: ଭରତପୁର ଥାନାରେ ଭରତପୁର ଥାନାରେ ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ୪ ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନେଇ ନିର୍ଦ୍ଦେଶନାମା ଜାରି କରିଛି ଓଡ଼ିଶା ପୁଲିସ। ସେମ‌ାନେ ହେଲେ ଭରତପୁର ଥାନାର ପୂର୍ବତନ ସବ୍‌ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ପୂର୍ବତନ ଏଏସ୍‌ଆଇ ସଲିଳାମୟୀ ସାହୁ, ପୂର୍ବତନ ଏଏସ୍‌ଆଇ ସାଗରିକା ରଥ ଓ ପୂର୍ବତନ କନ୍‌ଷ୍ଟେବଳ ବଳରାମ ହାଁସଦାଙ୍କ ଉପରୁ ନିଲମ୍ବନ ଉଠିଛି। ଓଡ଼ିଶା ପୁଲିସ ହେଡ୍‌କ୍ବାର୍ଟର୍ ପକ୍ଷରୁ ଏସମ୍ପର୍କିତ ଅଫିସ୍‌ ଅର୍ଡର୍‌ ବ‌ାହାରିଛି। ତେବେ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଉପରୁ ନିଲମ୍ବନ ହଟିନାହିଁ।

Advertisment

ଝୁଲିରହିଲା ଥାନା ଅଧିକାରୀଙ୍କ ଭାଗ୍ୟ

ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୪ ତାରିଖ ରାତିରେ ଜଣେ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଏକ ଅଭିଯୋଗ ନେଇ ଯାଇଥିବା ସମୟରେ ପୁଲିସ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୁଲିସ କର୍ମଚାରୀ ଚାକିରିରୁ ନିଲମ୍ବିତ ହୋଇଥିଲେ। ଏହି ହାଇପ୍ରୋଫାଇଲ୍‌ ମାମଲାରେ ଭାରତୀୟ ସେନା ଓ ଓଡ଼ିଶା ପୁଲିସ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ଭରତପୁର ଥାନା ସମଗ୍ର ଦେଶରେ ନିନ୍ଦିତ ହୋଇଥିଲା। ଓଡ଼ିଶା ପୁଲିସର ଛବି ବିଗିଡ଼ିଥିଲା। ଏହି ମାମଲା ପରେ ଥାନାରେ ସେନା କର୍ମଚାରୀଙ୍କୁ କିଭଳି ବ୍ୟବହାର କରାଯିବ ସେ ନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ସିଆର୍‌ ଦାସଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିସନ୍‌ ବସିଥିଲା। କମିସନ୍‌ ଦୁଇପକ୍ଷଙ୍କ ସତ୍ୟପାଠ ସଂଗ୍ରହ କରିବା ସହିତ ମାମଲାର ଶୁଣାଣି କରିଥିଲେ। ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ତତ୍‌କାଳୀନ ଆଇଆଇସି ଶ୍ରୀ ମିଶ୍ରଙ୍କର ନାର୍କୋଟେଷ୍ଟ ଓ ପଲିଗ୍ରାଫ୍‌ ଟେଷ୍ଟ କରିବା ସହିତ ଅନ୍ୟ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିଥିଲା। ସବୁ ତଥ୍ୟପ୍ରମାଣକୁ ଆଧାର କରି କମିସନ୍‌ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ।