ଚନ୍ଦ୍ରଶେଖରପୁର: ଚାକିରି ଅନ୍ବେଷଣରେ ଘର ଛାଡ଼ିଥିବା ଛତିଶଗଡ଼ର ଗରିବ ଯୁବକ ରୋହିତ ପାନ୍(୨୭)ଙ୍କୁ ଅପହରଣ କରିବା ପରେ ନିର୍ଯାତନା ଦେଇ ମାରିଦେଲେ। ରୋହିତଙ୍କ ଅସହାୟ ଅବସ୍ଥାର ସୁଯୋଗ ନେଇ ତାଙ୍କୁ ଫସାଇବା ପରେ ଅପହରଣ କରିଥିବା ମାଷ୍ଟରମାଇଣ୍ଡ ଜିତେନ୍ଦ୍ର ସିଂହ ଧରାପଡ଼ିଛି। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନାର ଏକ ଟିମ୍ ଜିତେନ୍ଦ୍ରକୁ ଜାମ୍ସେଦପୁରରୁ ଉଠାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଗତକାଲି କଟକ ମର୍କତନଗର ଥାନା ସିଡିଏ ଅଞ୍ଚଳର ଦମ୍ପତି ପ୍ରଦୀପ ଅଗ୍ରୱାଲ୍ ଓ ତାଙ୍କ ସ୍ତ୍ରୀ ମମତା ପାଟୁଆଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା। ଜିତେନ୍ଦ୍ରର ମହିଳା ସହଯୋଗୀ ବିଳଜୟଲକ୍ଷ୍ମୀ ଖୋରା ଏବେ ବି ଫେରାର ରହିଛି। ଏହା ଏକ ବଡ଼ ରୢାକେଟ୍ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି ଏବଂ ସମସ୍ତ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ ଜୋର୍ଦାର ଉଦ୍ୟମ କରୁଛି।
ସୂଚନାଯୋଗ୍ୟ ଯେ ଜାମ୍ସେଦପୁରସ୍ଥିତ ଏକ ଘରୋଇ ସଂସ୍ଥାରେ ରୋହିତ କାମ କରୁଥିଲେ। କୌଣସି କାରଣରୁ ସେ କିଛି ଟଙ୍କା ଧାରକରଜ କରି ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ସେ ଅନ୍ୟତ୍ର ଚାକିରି କରିବାକୁ ଖୋଜୁଥିଲେ। ରୋହିତଙ୍କ ଏଭଳି ଅସମୟରେ ଜିତେନ୍ଦ୍ର ଭେଟ ହୋଇଥିଲା। ସେ କଟକରେ ଚାକିରି କରାଇଦେବ ବୋଲି କହି ରୋହିତଙ୍କୁ ଓଡ଼ିଶା ଆଣି ପ୍ରଦୀପ ଓ ମମତାଙ୍କ ହେପାଜତରେ ଛାଡ଼ିଥିଲା। ମାତ୍ର ଏସବୁ କଥା ରୋହିତଙ୍କ ପରିବାର ଲୋକଙ୍କୁ ଜଣାନଥିଲା। ତେଣୁ ସେମାନେ ଜାମସେଦପୁରରେ ରୋହିତଙ୍କୁ ନପାଇ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଗତମାସରେ ହଠାତ୍ ପରିବାର ଲୋକେ ଅଭିଯୁକ୍ତ ପ୍ରଦୀପଙ୍କଠାରୁ ଫୋନ୍ ପାଇ ଭୁବନେଶ୍ବର ଆସିଥିଲେ ଏବଂ ଏକ ଘରୋଇ କ୍ଲିନିକ୍ରେ ତାଙ୍କୁ ଚିକିତ୍ସିତ ହେଉଥିବା ଦେଖିଥିଲେ। ମାତ୍ର ସେତେବେଳକୁ ରୋହିତଙ୍କ ଅବସ୍ଥା ଗୁରୁତୁର ହୋଇସାରିଥିଲା। ମାଆ ହର୍ଷମଣି ତୁରନ୍ତ ରୋହିତଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲେ। ଏହା ଭିତରେ ରୋହିତ ତାଙ୍କ ମାଆ ହର୍ଷମଣିଙ୍କୁ ସବୁ କଥା କହିଥିଲେ। ଜିତେନ୍ଦ୍ର, ପ୍ରଦୀପ ଓ ମମତା ତାଙ୍କୁ ଫୁସୁଲାଇ ଜାମଦେସପୁରରୁ ଅପହରଣ କରିବା ପରେ ଓଡ଼ିଶାରେ ବନ୍ଦୀ କରି ରଖିଥିଲେ ଏବଂ ଟଙ୍କା ଆଦାୟ କରିବାକୁ ନିର୍ଯାତନା ଦେଇ ଆସୁଥିଲେ। ଏସବୁ ଶୁଣିବା ପରେ ମାଆ ହର୍ଷମଣି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବୁଧବାର ରାତିରେ ରୋହିତ ଏମ୍ସରେ ଆଖି ବୁଜିଲେ। ତୁରନ୍ତ ପୁଲିସ ନଜରରେ ଥିବା ଦମ୍ପତି ପ୍ରଦୀପ ଓ ମମତାଙ୍କୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/06/arrest-2025-08-06-00-47-23.jpg)