ରବିନାଙ୍କ ନାଁରେ ଏତଲା

ଲିଙ୍ଗରାଜ ମନ୍ଦିରରେ ବିଜ୍ଞାପନ ସୁଟିଂ ଘଟଣା

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ଅଭିନେତ୍ରୀ ରବିନା ଟଣ୍ଡନ ବିଜ୍ଞାପନ ସୁଟିଂ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଆଜି ଅଭିନେତ୍ରୀ ରବିନାଙ୍କ ବିରୋଧରେ ମନ୍ଦିର ପ୍ରଶାସନ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପୁଲିସ ପକ୍ଷରୁ ଅଭିନେତ୍ରୀ ରବିନାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଖୁବ୍‌ ଶୀଘ୍ର ତାଙ୍କୁ ନୋଟିସ୍‌ କରାଯିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସୂଚନାଥାଉକି, ସେବାୟତ ଓ ପୁଲିସ ପ୍ରଶାସନ କର୍ମଚାରୀଙ୍କୁ ଛାଡ଼ିଦେଲେ ଲିଙ୍ଗରାଜ ମନ୍ଦିରକୁ କେହି ମୋବାଇଲ ଫୋନ ଓ କ୍ୟାମେରା ନେଇ ପାରିବେ ନାହିଁ ବୋଲି ନିୟମ ରହିଛି। ଏପରିକି କମିସନରେଟ ପୁଲିସ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୨୪ ଘଣ୍ଟିଆ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ମୋବାଇଲ ଓ କ୍ୟାମେରା ଭିତରକୁ ନେବାକୁ ବାରଣ କରିଯାଉଛି। ରବିବାର ଅଭିନେତ୍ରୀ ରବିନା ଓ ତାଙ୍କ ସହଯୋଗୀମାନେ ମୋବାଇଲ ଫୋ ନେଇ ନେଇ ଭିତରକୁ ଯାଇଥିଲେ ମଧ୍ୟ କେହି ତାଙ୍କୁ ବାରଣ କରିନଥିଲେ। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ମନ୍ଦିରରେ ପୁଲିସ କର୍ମଚାରୀ, ମନ୍ଦିର ପ୍ରଶାସନର କର୍ମଚାରୀ ଓ ସେବାୟତଙ୍କ ଉପସ୍ଥିତିରେ ରବିନା ଓ ତାଙ୍କ ସହଯୋଗୀଙ୍କୁ ମୋବାଇଲରେ ଭିଡିଓ ରେକର୍ଡ଼ିଂ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି। ପାର୍ବତୀ ମନ୍ଦିର ମୁଖଶାଳା ସମ୍ମୁଖରେ ରବିନା ରୂପଚର୍ଯ୍ୟାକୁ ନେଇ ବିଜ୍ଞାପନର ସଂଳାପ କହୁଥିବା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର