ଭୁବନେଶ୍ବର: ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଚଞ୍ଚକତା ଯୋଗୁଁ ପୁଣି ଥରେ ହେବାକୁ ଥିବା ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗକାରୀ କ୍ୟାପିଟାଲ ହାଇସ୍କୁଲ୍ର ଛାତ୍ର ଓ ତାଙ୍କ ମା’ ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତକାଲି ସ୍କୁଲ ସମ୍ମୁଖରେ ବିଷ ପିଇବାକୁ ଉଦ୍ୟମ କରିଥିବା ବେଳେ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରୁ ଖାରବେଳନଗର ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରି ବୁଝାସୁଝା କରି ଛାଡ଼ିଥିବା ଜଣାପଡ଼ିଛି।
ଆଜି ସକାଳେ ଅଭିଯୋଗକାରୀ ଛାତ୍ର ଇମ୍ରାନ୍ ଖାଁ ଓ ତାଙ୍କ ମା’ ଜସ୍ମିନ୍ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଗୁହାରି କରିବାକୁ ତାଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ମନ୍ତ୍ରୀ ଶ୍ରୀ ଦାଶ ବାସଭବନରେ ନଥିବାରୁ ସେମାନଙ୍କ ସାକ୍ଷାତ ହୋଇ ପାରିନଥିଲା। ତେଣୁ ହତାଶ ହୋଇ ମା’ପୁଅ ଦେହରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ବସିଥିଲେ। ମାତ୍ର ପୁଲିସ ତୁରନ୍ତ ସେମାନଙ୍କୁ କାବୁ କରି ନେଇଥିଲେ।
ସୂଚନାଯୋଗ୍ୟ ଇମ୍ରାନ୍ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୨୭୨ ନମ୍ବର ରଖି ପାସ୍ କରିଛନ୍ତି। କିନ୍ତୁ ସେ ପ୍ରଥମ ଶ୍ରେଣୀରେ ପାସ୍ କରିବେ ଓ ଯୁକ୍ତ୨ ବିଜ୍ଞାନ ପଢ଼ିବେ ବୋଲି ଆଶା କରିଥିଲେ। ତେଣୁ ସେ ପୁଣି ଥରେ ଅଫ୍ଲାଇନ୍ ପରୀକ୍ଷା ପାଇଁ ଫର୍ମ ପକାଇବାକୁ ପ୍ରଧାନଶିକ୍ଷକଙ୍କ ସହ କଥା ହୋଇଥିଲେ। କିନ୍ତୁ ପ୍ରଧାନଶିକ୍ଷକ ସମସ୍ତ ଡକ୍ୟୁମେଣ୍ଟ ରଖି ଫର୍ମ ଫିଲ୍ ଅପ୍ କରିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। ଇମ୍ରାନ୍ ଫର୍ମ ଫିଲ୍ ଅପ୍ କରିବାକୁ କହିଥିଲେ, ମାତ୍ର ଧାର୍ଯ୍ୟ ସମୟରେ ନ ଆସିବାରୁ ଫର୍ମ ଫିଲ୍ ଅପ୍ ହୋଇନି ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି।