କବାଟ ଭାଙ୍ଗି ନେଇଗଲେ ୫୦ ହଜାର ଟଙ୍କା ଓ ସୁନା ଅଳଙ୍କାର

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ବାସନ୍ତୀ ପରିଡ଼ାଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ତାଙ୍କ କବାଟ ତାଲା ଭାଙ୍ଗି ନଗଦ ୫୦ ହଜାର ଟଙ୍କା ସହ ସୁନା, ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ ଅଳଙ୍କାର ମଧ୍ୟରେ ରହିଛି ବାସନ୍ତୀଙ୍କ ୪ହଳ କାନ ଫୁଲ ଓ ଝରା, ୪ହଳ ପାଉଁଜି, ପିତ୍ତଳ ବାସନକୁସନ। ଏଥିସହ ଘରେ ଥିବା ତାଙ୍କର ୩୫ କିଲୋ ଚାଉଳ ବସ୍ତା ଏବଂ ୨୦ କିଲୋ ବିରି ମଧ୍ୟ ଚୋରି ହୋଇଛି। ଏ ସଂପର୍କରେ ବାସନ୍ତୀଙ୍କ ମାଆ ନମିତା ପରିଡ଼ା ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସୂଚନାନୁଯାୟୀ, ବାସନ୍ତୀଙ୍କ ମା’ ନମିତା ଗତକାଲି ଘରେ ଏକୁଟିଆ ଥିଲେ। ଦୁର୍ବୃତ୍ତମାନେ ଏହି ସୁଯୋଗ‌ରେ ତାଙ୍କ ବାହାର କବାଟ ଭାଙ୍ଗି ଭିତରେ ପଶିଥିଲେ। ନମିତା ଶୋଇଥିବା ପାଖ ଘରୁ ତାଙ୍କର ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଆଜବେଷ୍ଟସ କିଣିବା ପାଇଁ ନମିତା ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖିଥିଲେ। ହେଲେ ତା’ ପୂର୍ବରୁ ସବୁଯାକ ଟଙ୍କା ଲୁଟ ହୋଇଯିବାରୁ ଘର କାମ କେମିତି କରିବେ, ସେ ନେଇ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର