ଗୁଳି କରି ବିଲେଇ ହତ୍ୟା ମାମଲା : ନୋଟିସ୍‌ ଦେଇ ଅଭିଯୁକ୍ତକୁ ଛାଡ଼ି ଦେଲା ପୁଲିସ

ଭୁବନେଶ୍ୱର : ବିଲେଇକୁ ଗୁଳି କରି ହତ୍ୟା ଘଟଣାରେ ଖାରବେଳ ନଗର ଥାନା ପୁଲିସ ଗତକାଲି ଗିରଫ କରିଥିବା ଆଶୁତୋଷ ନାୟକକୁ ଆଜି ଛାଡି ଦେଇଛି। ସିଆରପିସି ଦଫା ୪୧ ବଳରେ ଅଭିଯୁକ୍ତକୁ କେବଳ ନୋଟିସ୍‌ ଦେଇ ଛାଡ଼ି ଦିଆଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। କିଛି ଦିନ ତଳେ ଗାଡ଼ି ଚଢ଼ାଇ କୁକୁର ଛୁଆଙ୍କୁ ହତ୍ୟା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ କାର ଚାଳକକୁ ଗିରଫ କରି ଜେଲ୍‌ ପଠାଇ ଥିବାବେଳେ ଅତି ନିର୍ମମ ଭାବେ ପୋଷା ବିଲେଇକୁ ହତ୍ୟା କରିଥିବା ଅଭିଯୁକ୍ତକୁ ପୁଲିସ କିପରି ଛାଡ଼ିଲା, ସେ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆର୍ମସ୍‌ ଆକ୍ଟ ବଳରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ପୁଲିସ ଛାଡ଼ିଦେଲା ବା କାହାର ଚାପ ରହିଲା, ସେ ନେଇ ଚର୍ଚ୍ଚା ଜୋର୍‌ ଧରିଛି।ଅଭିଯୁକ୍ତଙ୍କ ବାପା ଗୃହ ବିଭାଗରେ ଚାକିରି କରନ୍ତି। ଏଣୁ ବିଭାଗରୁ ପୁଲିସ ଉପରେ ଚାପ ରହିଥାଇପାରେ ବୋଲି ଆଲୋଚନା ହେଉଛି।

ଅପରପକ୍ଷେ ଓୟୁଏଟି ଭେ‌ଟେରିନାରିରେ ବିଲେଇ ଶବ ବ୍ୟବଚ୍ଛେଦ ହୋଇଛି। ବିଲେଇଟିକୁ ୨୦ରୁ ୩୦ ମିଟର ଦୂରରୁ ଗୁଳି କରାଯାଇଥିବା ଆଶଙ୍କା କରାଯାଉଛି। ପକ୍ଷୀ ଶିକାର ପାଇଁ ବ୍ୟବହୃତ ଛର୍‌ରା ବନ୍ଧୁକରେ ଏହି ଗୁଳି ବ୍ୟବହାର କରାଯାଏ। କିନ୍ତୁ ଅତି ନିକଟରୁ ଗୁଳି କଲେ ମଣିଷ ଜୀବନ ଚାଲିଯିବା ଆଶଙ୍କା ରହିଛି। ଏଣୁ ଏଭଳି ବନ୍ଧୁକର ବ୍ୟବହାର ବିପଜ୍ଜନକ ବୋଲି ଡାକ୍ତର କହିଛନ୍ତି।

ଏ ନେଇ ଅଭିଯୋଗକାରୀ ପିପୁଲ୍ସ ଫର୍‌ ଆନିମଲ୍ସ(ପିଏଫ୍‌ଏ)ର ଅମୂଲ୍ୟ ନାୟକ କହିଛନ୍ତି, ଘରେ ଏଭଳି ବନ୍ଧୁକ ରଖି ପୋଷା ଜୀବଙ୍କୁ ହତ୍ୟା କରିବା, ଅଭିଯୁକ୍ତକୁ କେବଳ ନୋଟିସ୍‌ ଦେଇ ଛାଡ଼ି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତୁରନ୍ତ ଏହି ବନ୍ଧୁକକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିବାକୁ ପିଏଫ୍‌ଏ ଦାବି କରିଛି। ଏହାସହ ରାଜଧାନୀ‌ରେ ଏଭଳି ବନ୍ଧୁକ କାରବାର ବନ୍ଦ କରିବା ପାଇଁ କମିସନରେଟ୍‌ ପୁଲିସ ପଦକ୍ଷେପ ନେଉ ବୋଲି ସେ କହିଛନ୍ତି। ଖାର‌ବେଳ ନଗର ଥାନା ଏସ୍‌ଆଇ ସ୍ବୟଂପ୍ରକାଶ ମହାନ୍ତି ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତକୁ ଛାଡ଼ି ଦେବା ବାବଦରେ ସେ କିଛି କହିନାହାନ୍ତି। ତେବେ ଗିରଫ ଅଭିଯୁକ୍ତ ଆଶୁତୋଷ ନାୟକ ଜଣେ କଲେଜ୍‌ ଛାତ୍ର। ଆଗକୁ ପରୀକ୍ଷା ଥିବାରୁ ନୋଟିସ୍‌ ଦେଇ ଛଡ଼ା ଯାଇଛି। ଯେକୌଣସି ସମୟରେ ଥାନାରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ରହିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ୟୁନିଟ୍‌-୪ ପୋଷ୍ଟାଲ କଲୋନିରେ ଥିବା ଆଇଭିଏନ୍‌-୩୮କ୍ବାର୍ଟର୍ସର ସୁଶାନ୍ତ ପଟ୍ଟନାୟକଙ୍କ ବିଲେଇକୁ ଗତକାଲି ଗୁଳି କରି ହତ୍ୟା କରାଯାଇଥିଲା। ଏଥିପାଇଁ ସେ ତାଙ୍କ ପଡ଼ୋଶୀ କ୍ବାର୍ଟର ନମ୍ବର ଆଇଭିଏନ୍‌-୩୯ରେ ରହୁଥିବା ସନ୍ତୋଷ କୁମାର ନାୟକ ଓ ତାଙ୍କ ପୁଅ ଆଶୁତୋଷଙ୍କୁ ଦାୟୀ କରିଥିଲେ। ପୂର୍ବରୁ ଏଭଳି ଢଙ୍ଗରେ ତାଙ୍କର ୫ଟି ବିଲେଇଙ୍କୁ ହତ୍ୟା କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏନେଇ ପିପୁଲ୍ସ ଫର ଆନିମଲ୍ସ(ପିଏଫ୍‌ଏ)ର ଅମୂଲ୍ୟ ନାୟକ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର