ଲୁଟେରାକୁ ନିର୍ଧୂମ୍‌ ଛେଚି ପୁଲିସରେ ଦେଲେ

ଭୁବନେଶ୍ବର: ମୋବାଇଲ ଝାମ୍ପି ନେଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ୍‌ ଛେଚା ଖାଇଲା ଲୁଟେରା। ଆଜି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଲୋକେ ଉକ୍ତ ଯୁବକକୁ ନିସ୍ତୁକ ମାଡ଼ ମାରିବା ପରେ ଖାରବେଳନଗର ଥାନା ପୁଲିସ ଜିମା ଦେଇଛନ୍ତି। ତେବେ ତାର ୨ ସାଥୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବାରୁ ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଥିଲା। ୪ ଜଣ ଶ୍ରମିକ ଫୁଟ୍‌ପାଥ୍‌ରେ ଚାଲିଚାଲି ପିଏମ୍‌ଜି ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼େ ଆସୁଥିଲେ। ପ୍ରେସ୍‌ କ୍ଲବ୍‌ ଅତିକ୍ରମ କରୁଥିବା ବେଳେ କଂଗ୍ରେସ ଭବନ ପଟୁ ୩ଜଣ ଯୁବକ ବାଇକ୍‌ରେ ଆସି ମୋବାଇଲରେ କଥା ହେଉଥିବା ଜଣେ ବ୍ୟକ୍ତିଙ୍କ ହାତରୁ ମୋବାଇଲ ଝାମ୍ପି ନେଇଥିଲେ। ପ୍ରେସ୍‌ କ୍ଲବ୍‌ରୁ ମାଷ୍ଟରକ୍ୟାଣ୍ଟିନ୍‌ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଯାଉଥିବା ବେଳେ ଛିନ୍‌ତାଇର ଶିକାର ଯୁବକ ଚୋର ଚୋର ବୋଲି ଚିତ୍କାର କରିବାରୁ ଆଗରେ ଯାଉଥିବା ତିନିଜଣ ବନ୍ଧୁ ବାଇକ୍‌ ପଛରେ ବସିଥିବା ଜଣେ ଯୁବକକୁ ମାଡ଼ି ବସିଥିଲେ। ପରେ ପରେ ସେଠାରେ ଲୋକଙ୍କ ଭିଡ଼ ଜମିଯାଇଥିଲା। ଯିଏ ପାରିଲା ବିଧା, ଚଟକଣି ମାରିଥିଲା। ଦୀର୍ଘ ସମୟ ଏଭଳି ପରିସ୍ଥିତି ଲାଗି ରହିବା ପରେ ପୁଲିସକୁ ଖବର ଦିଆ ଯାଇଥିଲା। ତେବେ ରାତି ସୁଦ୍ଧା ଲିଖିତ ଏତଲା ହୋଇନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର