ମାଛ କିଣିବା ବେଳେ ଆମ୍ବୁଲାନ୍‌ସ ଗାଏବ୍

ଧରାପଡ଼ି ଛେଚା ଖାଇଲା ଚୋର

ଖଣ୍ଡଗିରି: ଚାଳକ ମାଛ କିଣୁ କିଣୁ ଚୋର ଆମ୍ବୁଲାନ୍‌ସ ନେଇ ଚମ୍ପଟ। କିନ୍ତୁ ଚୋରର ଦୁର୍ଭାଗ୍ୟ ମାତ୍ର ଅଳ୍ପ ଦୂରରେ ଧରାପଡ଼ିଗଲା। ବହେ ଛେଚା ଖାଇଲା। ଲୋକେ ହାତଗୋଡ଼ ବାନ୍ଧି ନିର୍ଧୁମ୍‌ ଛେଚିବା ପରେ ପୁଲିସ ଜିମା ଦେଲେ। ପୁଲିସ ଚୋରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସୂଚନାନୁସାରେ ଡୁମୁଡୁମା ଅଞ୍ଚଳରେ ରହୁଥିବା ରତ୍ନାକର ଦାସ ଏକ ଘରୋଇ ହସ୍ପିଟାଲର ଆମ୍ବୁଲାନ୍‌ସ ଚଳାନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାବେଳେ ସେ ଆମ୍ବୁଲାନ୍‌ସ(ଓଡି୦୨ବିଏ- ୦୭୨୩) ଧରି ହସ୍ପିଟାଲ ବାହାରିଥିଲେ। ବାଟରେ ଆଇଗିଣିଆ ଓଭରବ୍ରିଜ୍ ତଳ ବଜାରରୁ ମାଛ କିଣି ସେ ଜଣେ ବନ୍ଧୁଙ୍କ ହାତରେ ଘରକୁ ପଠାଇବାର ଥିଲା। ବଜାରରେ ଗାଡ଼ି ରଖି ମାଛ କିଣିବାକୁ ଯାଇଥିବା ବେଳେ ଗାଡ଼ିରୁ ଚାବି ବାହାର କରି ନଥିଲେ। ମାଛ କିଣି ସାରିବା ପରେ ସେ ଦେଖନ୍ତି ଗାଡ଼ି ନାହିଁ। କେହି ଉକ୍ତ ଆମ୍ବୁଲାନ୍‌ସକୁ ନେଇ ଚମ୍ପଟ ମାରିଛି। ତେବେ ରତ୍ନାକର ତୁରନ୍ତ ତାଙ୍କ ସାଙ୍ଗମାନଙ୍କୁ ଏ ବାବଦରେ ଫୋନ୍ କରି ଜଣାଇଥିଲେ। ଚୋରଟି ଗାଡ଼ି ନେଇ ଡୁମୁଡୁମା ହାଉସିଂ ବୋର୍ଡ ବଜାର ରାସ୍ତା ଦେଇ ସରକନ୍ତରା ଗାଁ ଆଡ଼କୁ ଯାଉଥିବା ବେଳେ ରତ୍ନାକରଙ୍କ କିଛି ସାଙ୍ଗଙ୍କ ହାବୁଡ଼ରେ ପଡ଼ିଗଲା। ସେମାନେ ଗାଡ଼ିକୁ ଅଟକାଇବା ପରେ ଆରମ୍ଭ ହୋଇଥିଲା ମାଡ଼। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କଠାରୁ ତାକୁ ମୁକଳାଇ ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର