ଭୁବନେଶ୍ୱର: ରାଜଧାନୀରେ ଗାଡ଼ି ଚୋରିକୁ ନେଇ କମିସନରେଟ୍ ପୁଲିସ ଚିନ୍ତାରେ ଥିବା ବେଳେ ଖାରବେଳ ନଗର ଥାନା ପୁଲିସକୁ ସଫଳତା ମିଳିଛି। ଏକ ଅନ୍ତଃରାଜ୍ୟ ଗାଡ଼ି ଚୋର ରୢାକେଟ୍ର ୩ ଜଣ ଧରା ପଡ଼ିଛନ୍ତି। ସେମାନଙ୍କଠାରୁ ୩ଟି ଚୋରି ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ୟୁନିଟ ୩ ଖାରବେଳ ନଗରରେ ରହୁଥିବା ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ପଁସକୁଡ଼ା ଥାନା ଅଧୀନ ସୋଦୁଅପଟାର ସେକ୍ ରୁଲାମିନ୍ ଓ ସେହି ପଁସକୁଡ଼ା ଥାନା ଅଧୀନ ଦାଲ୍ବାଦ୍ ରତୁଲିଆର ସେକ୍ ମୁଜୁବର। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ସହ ଧରା ପଡ଼ିଥିବା ନାବାଳକକୁ ବାଳ ସୁଧାର ଗୃହକୁ ପଠାଯାଇଛି। ଭୁବନେଶ୍ବରରେ ରହୁଥିବା ସେକ୍ ରୁଲାମିନ୍ ଏହି ରୢାକେଟ୍ର କିଙ୍ଗପିନ୍ ବୋଲି କୁହାଯାଉଛି। ଏଠାରୁ ଗାଡ଼ି ଚୋରି କରି ସେ ପଶ୍ଚିମବଙ୍ଗ ପଠାଇ ଦେଉଥିଲା। ସେଠାରେ ସେକ୍ ମୁଜୁବର ଏହାକୁ ଖଡ଼ଗପୁର ଅଞ୍ଚଳରେ ବିକ୍ରି କରୁଥିଲା। ନାବାଳକକୁ ଏମାନେ ଗାଡ଼ି ଚୋରି କରି ଆଣିବା ପାଇଁ ବ୍ୟବହାର କରୁଥିଲେ। ସେ ନକଲି ଚାବିରେ ଗାଡ଼ି ଖୋଲି କିଙ୍ଗ୍ପିନ୍ ପାଖରେ ପହଞ୍ଚାଉଥିଲା। ଏ ବାବଦରେ ସେ କମିସନ୍ ନେଉଥିଲା। ଥରେ ଗାଡ଼ି ପଶ୍ଚିମବଙ୍ଗ ଚାଲିଯିବା ପରେ ଆଉ ପତ୍ତା ମିଳୁ ନଥିଲା। ଧରାପଡ଼ିବା ଭୟରେ ଓଡ଼ିଶାରେ ଜାଣି ଜାଣି ଏମାନେ ଗାଡ଼ି ବେପାର କରୁ ନଥିଲେ। ବାହାର ରାଜ୍ୟରୁ ୩ଟି ଗାଡ଼ି ଉଦ୍ଧାର କରିବା ପୁଲିସ ପାଇଁ ସମ୍ଭବ ହୋଇଥିବା ବେଳେ ଆଉ ୨୦ରୁ ୨୫ ଗାଡ଼ିର ପତ୍ତା ମିଳିନାହିଁ। ତେବେ ପଚରାଉଚରାରେ ମିଳିଥିବା ତଥ୍ୟକୁ ଆଧାର କରି ଆହୁରି ଗାଡ଼ି ଉଦ୍ଧାର କରାଯିବାକୁ ଯୋଜନା ହୋଇଛି ବୋଲି ଖାରବେଳନଗର ଥାନା ଆଇଆଇସି ବିଶ୍ବରଞ୍ଜନ ସେନାପତି କହିଛନ୍ତି।
ସୂଚନା ମୁତାବକ, ଗତ ୩୦ ତାରିଖ ଦିନ ବେଗୁନିଆ ଥାନା ଅଧୀନ କୁରାଢ଼ିଲୋ ଗ୍ରାମର ସୁବାସ ଚନ୍ଦ୍ର ମହାଭୋଇ ଭୁବନେଶ୍ବର ଜନପଥରେ ଥିବା ଏକ ବ୍ୟାଙ୍କ୍ ସାମ୍ନାରେ ନିଜ ଗାଡ଼ି (ଓଡି ୩୩ ପି ୨୧୦୭) ରଖି ଭିତରକୁ ଯାଇଥିଲେ। କିଛି ସମୟ ପରେ ସେ ବାହାରକୁ ଆସି ତାଙ୍କ ଗାଡ଼ି ନଥିବା ଦେଖିଥିଲେ। ଏ ନେଇ ସେ ୩୧ ତାରିଖ ଦିନ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ବ୍ୟାଙ୍କ୍ର ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭିରେ ନାବାଳକ ଜଣକ ଗାଡ଼ି ନେଉଥିବା ଜଣାପଡ଼ିଥିଲା। ପ୍ରଥମେ ନାବାଳକ ପାଖରେ ପୁଲିସ ପହଞ୍ଚିବା ପରେ ଏହି ରୢାକେଟ୍ ସମ୍ବନ୍ଧରେ ଜଣାପଡ଼ିଥିଲା। ପରେ ରୁଲାମିନ୍କୁ ଗିରଫ କରାଯାଇଥିଲା। ପୁଲିସର ଏକ ସ୍ବତନ୍ତ୍ର ଟିମ୍ ମେଦିନାପୁର ଯାଇ ଅନ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ସେମାନଙ୍କଠାରୁ ସୁବାସଙ୍କ ଗାଡ଼ି ଜବତ ହୋଇଥିବା ବେଳେ ଅନ୍ୟ ଦୁଇଗାଡ଼ିର ମାଲିକଙ୍କୁ ଖୋଜା ଚାଲିଛି ବୋଲି ପୁଲିସ କହିଛି।
ଘର ସାମ୍ନାରୁ ବାଇକ୍ ନେଇଗଲେ
ଭୁବନେଶ୍ୱର: ମଞ୍ଚେଶ୍ବର ରେଲବାଇ କଲୋନିରୁ ଏକ ଗାଡ଼ି ଚୋରି ହୋଇଛି। ଅପରାହ୍ଣ ପ୍ରାୟ ୨ଟା ବେଳେ କ୍ବାର୍ଟର୍ସ(ଏଫ୍୨/୨ ଓଲ୍ଡ) ସାମ୍ନାରୁ ଶ୍ୟାମସୁନ୍ଦର ସିଂହଙ୍କ ବାଇକ୍(ହିରୋ ଗ୍ଲାମର-ଓଡି ୦୧ ଏଲ୍ ୨୭୫୨) ଚୋରି ହୋଇଛି। ସେ ଅଫିସ୍ରୁ ଘରକୁ ଖାଇବାକୁ ଆସିଥିବା ବେଳେ କେହି ତାଲା ଭାଙ୍ଗି ଗାଡ଼ି ନେଇ ଯାଇଛି। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବାଇକ୍ର ପତ୍ତା ପାଇନାହିଁ। ଏହି ଥାନା ଅଧୀନରେ ଦୁଇ ମାସ ମଧ୍ୟରେ ୩ଟି ଗାଡ଼ି ଚୋରି ହୋଇଥିବା ବେଳେ ଗୋଟିଏ ପୁଲିସ ପାଇଛି।