ଚଳନ୍ତା ଟ୍ରେନରୁ ଡେଇଁ ୨ ଲୁଟେରାଙ୍କୁ କାବୁ କଲେ

ମୁଣ୍ଡ ଫାଟିଗଲା, ତଥାପି ଛାଡ଼ିଲେନି

ଭୁବନେଶ୍ୱର: ଚଳନ୍ତା ଟ୍ରେନ୍‌ରୁ ଡେଇଁ ଫିଲ୍ମ ଷ୍ଟାଇଲରେ ଦୁଇ ଲୁଟେରାଙ୍କୁ କାବୁ କଲେ ଜଣେ ଯୁବକ। ଆଜି ମଧ୍ୟାହ୍ନରେ ଏମିତି ଏକ ଘଟଣା ଘଟିଛି ସହିଦ ନଗର ଥାନା ଅଧୀନରେ ଥିବା ଭିଏସ୍‌ଏସ୍‌ନଗର ରେଳଲାଇନ ନିକଟରେ। ଲୁଟେରାଙ୍କୁ ଧରିବାକୁ ଯାଇ ଯୁବକଙ୍କ ମୁଣ୍ଡ ଫାଟି ଯାଇଥିଲେ ହେଁ ସେ ଏହାକୁ ଖାତିର କରି ନାହାନ୍ତି। ତାଙ୍କର ଏଭଳି ସାହସ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ମିଳିଥିବା ସୂଚନା ମୁତାବକ ସୁଶାନ୍ତ କୁମାର ପଣ୍ଡା ନାମକ ଜଣେ ଯୁବକ ଆଜି ଦିଲ୍ଲୀରୁ ଆସି ଦିନ ୧୦ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ନିଜ ଘର ଯାଜପୁର ଯିବା ପାଇଁ ସେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବସିଥିଲେ। ଟ୍ରେନ୍‌ଟି ଭିଏସ୍‌ଏସ୍‌ନଗର ରେଳଲାଇନ ପାଖରେ କୌଣସି କାରଣରୁ ଧୀରେ ଧୀରେ ଚାଲିଥିବାବେଳେ କିଛି ଲୁଟେରା ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ଏତିକିବେଳେ ସୁଶାନ୍ତ ତାଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହେଉଥିବା ଦେଖି ସେମାନେ ସୁଶାନ୍ତଙ୍କ ବ୍ୟାଗ୍‌ରୁ ନଗଦ ୧୫ ହଜାର ଟଙ୍କା ଓ ତାଙ୍କ ଫୋନ ଛଡ଼ାଇ ନେଇଥିଲେ। ସୁଶାନ୍ତ ଏହାକୁ ବିରୋଧ କରିବାରୁ ସେମାନେ ସୁଶାନ୍ତଙ୍କୁ ଭୁଜାଲି ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇ ଟ୍ରେନରୁ ଓହ୍ଲାଇ ଯାଇଥିଲେ। ଏହି ସମୟରେ ଟ୍ରେନଟିର ଗତି ବଢ଼ିବାରେ ଲାଗିଥିଲା। ତେବେ ନିଜର ଫୋନ ଓ ଝାଳବୁହା ଟଙ୍କା ଆଖି ଆଗରେ ଚାଲି ଯାଉଥିବାର ଦେଖି ସୁଶାନ୍ତ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ଦୁଇ ଲୁଟେରାଙ୍କୁ ମାଡ଼ି ବସିଥିଲେ। ଟ୍ରେନରୁ ଡେଇଁ ପଡିବା ଫଳରେ ତାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲେ ମଧ୍ୟ ସେ ଲୁଟେରା ଦ୍ୱୟଙ୍କୁ ଛାଡ଼ି ନେଇଥିଲେ। ଏହି ଦୃଶ୍ୟ ଦେଖୁଥିବା ସ୍ଥାନୀୟ ଲୋକେ ମଧ୍ୟ ଦୌଡ଼ି ଆସି ଲୁଟେରା ଦ୍ୱୟଙ୍କୁ କାବୁ କରିନେଇଥିଲେ ଏବଂ ବହେ ଛେଚି ପୁଲିସ ଜିମାରେ ଦେଇଥିଲେ। ଏ ନେଇ ସୁଶାନ୍ତ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଏହି ଲୁଟରେ ସାମିଲ ଥିବା ପପୁ ଓ ଜୀବନକୁ ଗିରଫ କରିଛି।

ସମ୍ବନ୍ଧିତ ଖବର