କ୍ୟାପିଟାଲ୍‌ ହସ୍ପିଟାଲରେ ବିଲେଇ, କୁକୁରଙ୍କ ଉତ୍ପାତ: ଶିଶୁ ରୋଗୀଙ୍କ କ୍ଷୀର, ବିସ୍କୁଟ ଖାଇ ଦେଉଛନ୍ତି

ଛୋଟ ପିଲାଙ୍କ ଶଯ୍ୟାରେ ଶୋଉଛନ୍ତି, ରୋଗୀଙ୍କ ଭିଡ଼ରେ ବୁଲୁଛନ୍ତି କୁକୁର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏବେ କୁକୁର ଓ ବିଲେଇଙ୍କ ଉତ୍ପାତ ବଢ଼ିଯାଇଛି। ହସ୍ପିଟାଲ ଭିତରେ ନିର୍ଭୟରେ କୁକୁର ଓ ବିଲେଇ ବିଚରଣ କରୁଛନ୍ତି। ଏଥିପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅସୁବିଧାରେ ପଡ଼ୁଛନ୍ତି। ହେଲେ ସବୁ ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିଲେଇଙ୍କ ପ୍ରାଦୁର୍ଭାବ ଯୋଗୁଁ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ଛୋଟ ପିଲାଙ୍କ ପ୍ରତି ବିପଦ ବଢ଼ୁଛି। ବିଶେଷକରି ନବଜାତକ ଗୃହରେ ବିଲେଇମାନେ ବାନ୍ତି ସହ ମଳତ୍ୟାଗ କରୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ଶିଶୁଙ୍କ ପ୍ରତି ବିପଦ ବୋଲି କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ଜଣେ ଅଭିଭାବକ ସଂଗ୍ରାମ ଜେନା କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ବହୁତ ବିଲେଇ ଅଛନ୍ତି। ବିଶେଷକରି ରାତିରେ କିମ୍ବା ଭୋର୍‌ ସମୟରେ ଲୋକଙ୍କ ସମାଗମ କମ୍ ଥିବା ବେଳେ ବିଲେଇମାନେ ଆସି ବେଡ୍‌ ଉପରେ ଚଢ଼ି ଛୁଆଙ୍କ ପାଖରେ ଶୋଇ ଯାଉଛନ୍ତି। ବାନ୍ତି କରିବା ସହ ପରିସ୍ରା ଓ ଝାଡ଼ା କରି ଦେଉଛନ୍ତି। ଅନେକ ସମୟରେ ପିଲାଙ୍କ ପାଇଁ ଥିବା କ୍ଷୀର, ବିସ୍କୁଟ, ଗୋଳାଯାଇ ରଖାଯାଇଥିବା ଛତୁଆ ଆଦିରେ ମୁହଁ ମାରି ଦେଉଥିବାରୁ ତାହା ନଷ୍ଟ ହେଉଛି। ସେହିପରି ଶାନ୍ତିଲତା ନାମକ ଜଣେ ଆଟେଣ୍ଡାଣ୍ଟ କହିଛନ୍ତି, ସେମାନଙ୍କ ପିଲା ପାଖରେ ରାତିରେ ଗୋଟିଏ ବିଲେଇ ଆସି ଶୋଇଯାଇଥିଲା। ଘଉଡ଼ାଇବାକୁ ଯିବାରୁ ବିଲେଇଟି ତାଙ୍କ ପିଲା ଉପରେ ଚଢ଼ି ଯାଇଥିଲା। ପିଲାଟି ଘୋଡ଼ାଇ ହୋଇ ଶୋଇଥିବାରୁ ସୁରକ୍ଷିତ ରହିଥିଲା। ନଚେତ୍‌ ବିଲେଇଟି ତାଙ୍କ ପିଲାକୁ ଆହତ କରିଦେଇଥା’ନ୍ତା ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ଶିଶୁ ବିଭାଗ ଡାକ୍ତର ଜଗନ୍ନାଥ ରାଓଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ବିଲେଇ ପ୍ରାଦୁର୍ଭାବ ଆସ୍ତେ ଆସ୍ତେ କମିଲାଣି। ବିଲେଇ ଆସିଲେ ନିୟୋଜିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ତଡ଼ି ଦେଉଛନ୍ତି ବୋଲି ସେ କହିଛନ୍ତି। ଏହାସହ ବିଲେଇ ଅପରିଷ୍କାର କରିବା ଅଭିଯୋଗ ମିଳିବା ସଙ୍ଗେ ସଙ୍ଗେ ସଫା କରାଯାଉଛି।
ସେହିଭଳି କୁକୁରମାନେ ମଧ୍ୟ ହସ୍ପିଟାଲ ଭିତରେ ବିନା ଭୟରେ ବିଚରଣ କରୁଥିବା ଦେଖିବାକୁ ମିଳୁଛି। କୁକୁର ଆକ୍ରମଣରେ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଆହତ ହୋଇନଥିଲେ ହେଁ ସେମାନଙ୍କୁ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଜଣେ ଆହତ ହେଲେ କୁକୁରଙ୍କ ବିଚରଣ ଉପରେ ରୋକ୍ ଲାଗିବ ବୋଲି କଟାକ୍ଷ କରି ଜଣେ ହସ୍ପିଟାଲର କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର