ଗାଈ ମଇଁଷିଙ୍କ କାନରେ ଆଜିଠୁ ଲାଗିବ ଟ୍ୟାଗ୍

ପ୍ରଥମ ପର୍ଯ୍ୟାୟରେ ୨ହଜାର ଟ୍ୟାଗ୍ ଲାଗିବ, ରାସ୍ତାକୁ ଛାଡ଼ିଲେ ୧୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା, ନୂ୍ଆପଲ୍ଲୀ ବେହେରା ସାହିରୁ ଆରମ୍ଭ ହେବ ଅଭିଯାନ

ଭୁବନେଶ୍ବର : ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ଗୃହପାଳିତ ଗାଈ, ମଇଁଷିଙ୍କ କାନରେ ଟ୍ୟାଗ୍‌ ଲାଗିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ମଙ୍ଗଳବାରଠାରୁ ଗୃହପାଳିତ ଗାଈଗୋରୁଙ୍କ କାନ ନୋଳିକରଣ ହେବ। ପ୍ରଥମ ପର୍ଯ୍ୟାୟରେ ୨ହଜାର ଗାଈଗୋରୁଙ୍କ କାନରେ ଟ୍ୟାଗ୍ ଲାଗିବ ବୋଲି ନିଷ୍ପତ୍ତି ହୋଇଛି। ନୂଆପଲ୍ଲୀ ବେହେରା ସାହିରୁ ଏହି ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହେବ। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ୮୦୦ରୁ ଅଧିକ ଷଣ୍ଢ ଏବଂ ୨ହଜାରରୁ ଅଧିକ ଗା‌ଈ ଓ ମଇଁଷି ବୁଲୁଛନ୍ତି। ଏମାନେ ରାସ୍ତାରେ ବୁଲୁଥିବାରୁ ଏବଂ ରାସ୍ତା ଉପରେ ଶୋଇ ରହୁଥିବାରୁ ବହୁ ସମୟରେ ଟ୍ରାଫିକ ଜାମ୍ ହେବା ସହ ଦୁଘର୍ଟଣା ବି ଘଟୁଛି। ତେଣୁ ଗାଈ ଓ ମଇଁଷି ଯେପରି ରାସ୍ତାରେ ନବୁଲିବେ ମାଲିକମାନେ ସେମାନଙ୍କୁ ଗୁହାଳରେ ବାନ୍ଧି ରଖିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ ହୋଇଛି।

ଏଥିରେ ସମସ୍ତ ଗୃହପାଳିତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ଲଗାଇବାକୁ ଯୋଜନା ହୋଇଛି। ଏଥିପାଇଁ ସହିଦନଗର ପଶୁ ଚିକିତ୍ସାଳୟ ପକ୍ଷରୁ ରାଜଧାନୀର ସମସ୍ତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ଲଗାଯିବ। ପଶୁ ଚିକିତ୍ସାଳୟର କର୍ମଚାରୀମାନେ ଘର ଘର ବୁଲି ଏହି ଟ୍ୟାଗ୍ ଲଗାଇବେ। ଟ୍ୟାଗ୍‌ରେ ସେମାନଙ୍କ ମାଲିକଙ୍କ ମୋବାଇଲ୍ ନମ୍ବରରୁ ଆରମ୍ଭ କରି ସବିଶେଷ ତଥ୍ୟ ରହିବ। ଯଦି ରାସ୍ତାରେ ଗାଈ ଓ ମଇଁଷି ବୁଲୁଥିବାର ଦେଖାଯାଏ ତେବେ ସେମାନଙ୍କୁ ଉଠାଇ ନେଇ ୟୁନିଟ-୩ସ୍ଥିତ କାଞ୍ଜିହୁଦାରେ ରଖାଯିବ। ଏହାପରେ ସେମାନଙ୍କ କାନରେ ଲାଗିଥିବା ଟ୍ୟାଗ୍‌ରୁ ମାଲିକଙ୍କ ନମ୍ବର ସଂଗ୍ରହ କରି ଫୋନ୍ କରି ଗାଈ/ମଇଁଷି ନେବାକୁ କୁହାଯିବ। ହଜାରେ ଟଙ୍କା ଜମା କରି ସେ ଗାଈ/ମଇଁଷି ଘରକୁ ନେଇପାରିବେ। ଯେତେଦିନ ଗାଈ/ମଇଁଷି କାଞ୍ଜିହୁଦାରେ ରହିବ ସେତେଦିନ ହଜାରେ ଟଙ୍କା ଲେଖାଏଁ ଜରିମାନା ଆଦାୟ ହେବ। ଯଦି ଗାଈ/ମଇଁଷି କାନରେ ଟ୍ୟାଗ୍ ଲାଗି ନଥିବ ତେବେ ଦିନକୁ ୧୫୦୦ଟଙ୍କା ହିସାବରେ ଜରିମାନା ଆଦାୟ କରାଯିବ। ଆଉ ତିନି ଦିନ ମଧ୍ୟରେ ଯଦି ଗାଈ/ମଇଁଷିକୁ କେହି ଆସି ନ ନିଅନ୍ତି ତେବେ ନିଲାମ ଡକାଯିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ କାଞ୍ଜିଆହୁଦାକୁ ଗାଈ ଆସିଲେ ୫୦୦ଟଙ୍କା ଜରିମାନା ଆଦାୟ ହେଉଥିବାବେଳେ ଏବେ ଏହାକୁ ସର୍ବନିମ୍ନ ହଜାରେ ଟଙ୍କାକୁ ବଢ଼ାଇ ଦିଆଯାଇଛି ବୋଲି ଡେପୁଟି କମିସନର (କ୍ୟା‌‌େଟଲ ଡ୍ରାଇଭ୍ ଏବଂ ଏବିସି କାର୍ଯ୍ୟକ୍ରମ) ଶୁଭ୍ରାଂଶୁ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଏହି ଅଭିଯାନକୁ ସଫଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ମାଗଣାରେ ପ୍ରତ୍ୟେକ ଗୃହପାଳିତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ଲାଗିବ। ରାଜଧାନୀ ରାସ୍ତାରେ ଯେପରି ଗୃହପାଳିତ ପଶୁଙ୍କ ଦୌରାତ୍ମ୍ୟ କମିବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଷଣ୍ଢଙ୍କ କାନରେ କିନ୍ତୁ ଟ୍ୟାଗ୍ ଲାଗିବନି। ଷଣ୍ଢଗୁଡ଼ିକୁ ଜାମୁକୋଳିରେ ଥିବା କାଞ୍ଜିଆହୁଦାରେ ଛାଡ଼ି ଦିଆଯିବ। ଏଠାରେ ୩୦୦ ଷଣ୍ଢ ରହିବା ପାଇଁ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର