ଭୁବନେଶ୍ବର: ମୋ’ ବସ୍ରୁ ଚୋରି କରୁଥିବା ଏକ କୁଖ୍ୟାତ ରୢାକେଟ୍କୁ ଠାବ କରିଛି ନୂଆପଲ୍ଲୀ ଥାନା ପୁଲିସ। ସେମାନେ ହେଲେ କଟକ ମଙ୍ଗଳାବାଗ ଅଞ୍ଚଳର ସେକ୍ ମୁନା(୩୨), ବସୁ ଖାଁ(୩୨) ଓ ମଞ୍ଚେଶ୍ବର ଗାଡ଼କଣ ଅଞ୍ଚଳର ବିମ୍ବାଧର ବାରିକ(୪୨)। ସେମାନଙ୍କ ନିକଟରୁ ୭ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସେକ୍ ମୁନା ଓ ବାସୁ ଖାଁ ବସ୍ ଭିତରେ ଲୁଟ୍ପାଟ କରୁଥିବା ବେଳେ ଚୋରି ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବିମ୍ବାଧର କିଣାବିକା କରୁଥିଲା ବୋଲି ପୁଲିସ ସୂଚନା ଦେଇଛି।
ସୂଚନାନୁସାରେ ଗତ ଫେବ୍ରୁଆରି ୨୦ ତାରିଖରେ ମୋ’ ବସ୍ରୁ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଚୋରି ହୋଇଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ବ୍ୟାଗ୍ରେ ୧୦ ହଜାର ଟଙ୍କା ଥିବା ନେଇ ମହିଳା ଅଭିଯୋଗ କରିଥିଲେ। ମହିଳାଜଣଙ୍କ ବରମୁଣ୍ଡାରୁ ବସ୍ରେ ଉଠିଥିଲେ ଏବଂ ଜୟଦେବବିହାର ଛକରେ ଭିଡ଼ ଭିତରେ ତାଙ୍କ ବ୍ୟାଗ୍ ଚୋରି ହୋଇଥିବା କହିଥିଲେ। ସେବେଠୁ ନୂଆପଲ୍ଲୀ ଥାନା ପୁଲିସ ଜୟଦେବବିହାର ଛକରେ ନଜର ରଖିଥିଲା। ଗତକାଲି ସନ୍ଧ୍ୟାରେ ସେଠାରେ ପୁଲିସ କର୍ମଚାରୀ ଦୁଇଜଣଙ୍କୁ ସନ୍ଦେହଜନକ ଅବସ୍ଥାରେ ଏପଟସେପଟ ହେଉଥିବା ଦେଖିଥିଲେ।
ଉକ୍ତ ପୁଲିସ କର୍ମଚାରୀଙ୍କଠାରୁ ଖବର ପାଇ ଅନ୍ୟ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଉକ୍ତ ଦୁଇ ଯୁବକଙ୍କୁ କାବୁ କରି ଥାନାକୁ ନେଇଥିଲା। ପଚରାଉଚରା ବେଳେ ସେମାନେ ସତ ମାନିଯାଇଥିଲେ। ସେମାନଙ୍କଠାରୁ ସୂଚନା ପାଇ ପୁଲିସ ମଞ୍ଚେଶ୍ବରରୁ ବିମ୍ବାଧରକୁ ଉଠାଇଥିଲା। ବିମ୍ବାଧର ଘରୁ ପୁଲିସକୁ ଉକ୍ତ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍, ଆଧାରକାର୍ଡ, ପାନ୍ କାର୍ଡ ଜବତ କରିଛି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତମାନେ ଅଭ୍ୟାସଗତ ଅପରାଧୀ। ମୁନା ନାଁରେ ନୂଆପଲ୍ଲୀ ଥାନାରେ ୪ଟି ଚୋରି ମାମଲା ଥିବା ବେଳେ ବାସୁ ଖାଁ ଓ ବିମ୍ବାଧର ନାଁରେ ୩ଟି ଲେଖାଏଁ ଚୋରି ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/63-5.jpg)