ଏହି ସବୁ କାରଣ ଯୋଗୁଁ ପୁଲିସ କର୍ମଚାରୀ ହେଉଛନ୍ତି କରୋନା ଆକ୍ରାନ୍ତ

ଭୁବନେଶ୍ୱର : ପୁଲିସ କର୍ମଚାରୀ ଆକ୍ରାନ୍ତ ହେବା ପଛରେ ଏକାଧିକ କାରଣ ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଅଭିଯୋଗକାରୀଙ୍କ ଏତଲା ଗ୍ରହଣ ସହ ବୟାନ ରେକର୍ଡ ହେଉ କିମ୍ବା ଅଭିଯୁକ୍ତଙ୍କୁ ଗିରଫ ଏକ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ସମ୍ବେଦନଶୀଳ ମାମଲାରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସମୟରେ ପୁଲିସ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଛି। ବିଭିନ୍ନ ଛକରେ ପୁଲିସ ଯାଞ୍ଚ କରିବା ଆଉ ଏକ କାରଣ। ଏବେ ସୁଦ୍ଧା ପ୍ରାୟ ୧୫ଜଣ ଟ୍ରାଫିକ୍‌ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେମିତି ଆକ୍ରାନ୍ତ ହେଲେ ଜଣାପଡ଼ି ନ ଥିଲେ ମଧ୍ୟ ଯାଞ୍ଚ ସମୟରେ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଆଉ କେତେକ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ବାହାରୁଛନ୍ତି।

ରିଜର୍ଭରେ କରୋନା ବ୍ୟାପୁ ନାହିଁ: ଆର୍‌ଆଇ
ରିଜର୍ଭରେ କରୋନା ବ୍ୟାପୁ ନାହିଁ ବୋଲି ରିଜର୍ଭ ଇନ୍‌ସ୍‌ପେକ୍ଟର (ଆରଆଇ) ବିଜୟ ରତ୍ନମ୍‌ କହିଛନ୍ତି। ସେ କହିଛନ୍ତି, ରିଜର୍ଭରେ କୌଣସି ସମସ୍ୟ‌ା ନାହିଁ। ଭୁବନେଶ୍ବର କମିସନରେଟ୍‌ ପୁଲିସରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କର ଏହି ଗୋଟିଏ ଜାଗାରେ ଟେଷ୍ଟ କରାଯାଉଛି। ଏଣୁ ରିପୋର୍ଟ ଆସିବା ବେଳେ ରିଜର୍ଭ ବୋଲି ଆସୁଛି। ବାଲିପାଟଣା ଥାନାଠାରୁ ଆରମ୍ଭ କରି ତମାଣ୍ଡେ ପର୍ଯ୍ୟନ୍ତ ଏଠାରେ ପରୀକ୍ଷା ହେଉଛି। ବାହାରୁ ଆସୁଥିବା ପୁଲିସ କର୍ମଚାରୀ/ଅଧିକାରୀଙ୍କର ମଧ୍ୟ ଏଠାରେ ପରୀକ୍ଷା ହେଉଛି। ସେଥିପାଇଁ ଆର୍‌.ଓ‌ରେ ବଢ଼ୁଥିବା ଦେଖାଯାଉଛି। ରିଜର୍ଭ ବାରାକ୍‌ରେ ସଙ୍ଗରୋଧ ବ୍ୟବସ୍ଥା ରହିଛି। ପୂର୍ବରୁ ଏଠାରୁ ଫୋର୍ସମାନଙ୍କୁ ବିଭିନ୍ନ ଜାଗାକୁ ସ୍ଥାନାନ୍ତର କରାଯାଇ ଫାଙ୍କା କରାଯାଇଛି। ଯେଉଁଠି(ରିଜର୍ଭରେ) ଏକ ହଜାରରୁ ଊର୍ଦ୍ଧ୍ବ ରହିବା କଥା, ସେଠାରେ ଏବେ ୫ଶହରୁ କମ୍‌ ଫୋର୍ସ ଅଛନ୍ତି। ଏଠାରେ ରହୁଥିବା ଫୋର୍ସଙ୍କର ଛୁଟି ବାତିଲ କରାଯାଇଛି। ତେଣୁ ଏଠାରେ କରୋନା ବ୍ୟାପିବାର ପ୍ରଶ୍ନ ନାହିଁ ବୋଲି ସେ କହିଛନ୍ତି।

ତଥ୍ୟ ଲୁଚାଉଛି କମିସନରେଟ୍‌ ପୁଲିସ୍‌!
‌‌କେତେ ପୁଲିସ୍‌ କରୋନା ହେଲେ, ସେ ସମ୍ପର୍କରେ ସବୁ ପୁଲିସ୍‌ ଜିଲ୍ଲା ପକ୍ଷରୁ ନିୟମିତ ସୂଚନା ଦିଆଯାଉଛି। କିନ୍ତୁ କମିସନରେଟ୍‌ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଏପରିକି ଆରମ୍ଭରୁ ଏଯାଏ ସୂଚନା ପ୍ରକାଶ କରାଯାଉନାହିଁ। ପଡ଼ୋଶୀ ଖୋର୍ଧା ପୁଲିସ ଜିଲ୍ଲା ପକ୍ଷରୁ ସୂଚନା ଦିଆଯାଉଥିବା ବେଳେ କମିସନରେଟ୍‌ ପୁଲିସ ପକ୍ଷରୁ କାହିଁକି ଦିଆଯାଉନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ କେବଳ ବିଏମସି ପକ୍ଷରୁ ସୂଚନା ଦିଆଯାଉଛି।

ପ୍ରଭାବିତ ହୋଇପାରେ ତଦନ୍ତ ପ୍ରକ୍ରିୟା
ପୁଲିସ କର୍ମଚାରୀ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା, ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବା, ଚାର୍ଜସିଟ୍ ପ୍ରସ୍ତୁତ କରିବା କଷ୍ଟକର ବ୍ୟାପାର ହୋଇ ପଡ଼ିଛି। ଆଗକୁ ଆହୁରି ସ୍ଥିତି ସାଂଘାତିକ ହେବ ବୋଲି ଅନୁମାନ କରାଯାଉଛି। ଠିକ୍ ସମୟରେ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରିବା କଷ୍ଟକର ହେବ ବୋଲି କହିଛନ୍ତି ଆଇନଜୀବୀ ବନ ମହାନ୍ତି।

ସମ୍ବନ୍ଧିତ ଖବର