ସତର୍କ! ସାପ ଦେଲେଣି ଅଣ୍ଡା

ଭୁବନେଶ୍ବର: ସାପଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଛି। ତେଣୁ ବାଡ଼ିବଗିଚାରେ ସାପ ରହିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଘର ଭିତରେ ମଧ୍ୟ ସାପ ପଶିଯାଉଥିବା ଦେଖିବାକୁ ମିଳିଲାଣି। ଏଇ କିଛିଦିନ ହେବ ସାପ ଅଣ୍ଡା ଫୁଟୁଥିବା ନଜରକୁ ଆସିଛି। ଗତ ବର୍ଷ ଭୁବନେଶ୍ବର ବନ୍ୟପ୍ରାଣୀ ରେଞ୍ଜ ଅଧୀନରେ ଆସୁଥିବା ଶୈଳଶ୍ରୀ ବିହାରରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଏକ ନାଗ ସାପ ୨୮ଟି ଅଣ୍ଡା ଫୁଟାଇଥିବା ବେଳେ ଏହାକୁ ଜଗି ରହିଥିଲା। ଏନେଇ ଖବର ଦିଆଯିବା ପରେ ନାଗକୁ ଉଦ୍ଧାର କରାଯାଇଥିଲା। ଏଥର ବି ସହରର ବିଭିନ୍ନ ସ୍ଥାନରେ ସମାନ ସ୍ଥିତି ଦେଖିବାକୁ ମିଳିଲାଣି। ବିଶେଷତଃ ନାଗ, ଅହିରାଜ, ଅଜଗର, ରଣା, ତମ୍ପ ଆଦି ବିଷଧର ସାପମାନେ ଏହି ସମୟରେ ଅଣ୍ଡା ଦେବା ସହ ଛୁଆ ଫୁଟି ବାହାରିବା ପର୍ଯ୍ୟନ୍ତ ଅଣ୍ଡା ପାଖରେ ଜଗି ରୁହନ୍ତି। ସାପଗୁଡ଼ିକ ଅଣ୍ଡା ଉଷୁମାଇବା ପାଇଁ ଉପଯୁକ୍ତ ଉତ୍ତାପ ଓ ଆର୍ଦ୍ରତା ମିଳୁଥିବା ସ୍ଥାନ ଆପଣାଉଛନ୍ତି। ବେଳେବେଳେ ଘର ମଧ୍ୟକୁ ପଶି ଅଣ୍ଡା ଦେଉଛନ୍ତି। ଅଣ୍ଡାରୁ ଛୁଆ ଫୁଟିବା ପାଇଁ ୬୦ ଦିନ ସମୟ ଲାଗୁଥିଲେ ମଧ୍ୟ ଓଡ଼ିଶାର ପାରିପାର୍ଶ୍ବିକ ପରିବେଶର ପ୍ରଭାବରେ ୫୦ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟିବାର ନଜିର ରହିଛି ବୋଲି ଜଣେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ କହିଛନ୍ତି। ତେବେ ମା’ ସାପ ନିଜ ପିଲାମାନଙ୍କୁ ବାହ୍ୟ ପ୍ରଭାବ ଯଥା, କୁକୁର, ବିଲେଇ, ପିମ୍ପୁଡ଼ି ଓ ଅନ୍ୟାନ୍ୟ ଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ଏବଂ ଅଣ୍ଡା ଉଷୁମାଇବା ପାଇଁ ଅଣ୍ଡା ଉପରେ ଚେକା ମାଡ଼ି ରହୁଥିବା ବେଳେ ଅଜଗର କୁଣ୍ଡଳି ମାରି ଅଣ୍ଡା ଉପରେ ପଡ଼ି ରୁହେ। ଖାଲି ସେତିକି ନୁହେଁ, ଏହି ସମୟରେ ସାପ ଗର୍ଜନ କରିବା ସହ ଗୋଡ଼ାଏ ମଧ୍ୟ। ତେଣୁ ଏ ନେଇ ସତର୍କତା ଅବଲମ୍ବନ କରିବା ଉଚିତ୍‌ ବୋଲି ସ୍ନେକ୍‌ ହେଲ୍‌ପ ଲାଇନ୍‌ର ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଶ୍ରୀ ମଲ୍ଲିକଙ୍କ କହିବା ମୁତାବକ, ଏହି ସମୟରେ ବାଡ଼ି ସଫା ସୁତରା ରଖିବା ସହ ଯଦି ଘରେ ସାପ ଥିବା ଅନୁଭବ କରନ୍ତି, ତେବେ ବନ ବିଭାଗ କିମ୍ବା ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସହାୟତା ନେବା ଉଚିତ୍‌। ସାପ ଘରେ ପଶୁଥିବାରୁ ସାପମାନଙ୍କୁ ମାରିବା ପାଇଁ ଉଦ୍ୟମ କରାଯାଏ। ତେଣୁ ବହୁ ସାପ ପ୍ରଜନନ ପୂର୍ବରୁ ମୃତ୍ୟୁ ମୁଖକୁ ଠେଲି ହୋଇଯାଆନ୍ତି। ଫଳରେ ସାପର ଗୋଟିଏ ବଂଶ ନଷ୍ଟ ହୋଇଯାଏ। ସାପର ବିଷ ଅନେକ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବାରୁ ଏହାର ସୁରକ୍ଷା ମଧ୍ୟ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାର ସୁରକ୍ଷା ପାଇଁ ସାପ ଓ ଅଣ୍ଡାକୁ ବନ ଅଧିକାରୀଙ୍କ ତତ୍ତ୍ବାବଧାନରେ ଉଦ୍ଧାର କରାଯିବା ସହିତ ଏଥିରୁ କୃତ୍ରିମ ଉପାୟରେ କମ ଦିନ ବ୍ୟବଧାନରେ ଛୁଆ ବାହାର କରାଯାଇ ସାପ ବଂଶକୁ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ମଲ୍ଳିକ କହିଛନ୍ତି।

ସମ୍ବନ୍ଧିତ ଖବର